ଭାରତର କଥା ରଖିଲା ରୁଷ୍ ପାକିସ୍ତାନକୁ ପଠାଇବନି ଅସ୍ତ୍ର

ମସ୍କୋ, ଏଜେନ୍ସି: ଭାରତର ଅନୁରୋଧ ରକ୍ଷା କରିଛି ବନ୍ଧୁରାଷ୍ଟ୍ର ରୁଷ୍। ଆତଙ୍କବାଦର ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନକୁ ରୁଷ୍ ଅସ୍ତ୍ରଶସ୍ତ୍ର ପଠାଇବନି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ୍ ଗସ୍ତ ଅବସରରେ ଏଭଳି ନୀତି ପରିବର୍ତ୍ତନ କରିଛି ରୁଷ୍। ଏହି ଗସ୍ତରେ ରାଜନାଥ ରୁଷ୍ ପ୍ରତିପକ୍ଷ ଜେନେରାଲ ସଜିର ଶୋଇଗୁଙ୍କ ସହ ବୈଠକ କରିଛନ୍ତି। ଦୁଇ ପକ୍ଷ ମଧ୍ୟରେ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ମସ୍କୋରେ ରୁଷ୍ ପ୍ରତିରକ୍ଷା କାର୍ଯ୍ୟାଳୟ ଠାରେ ଏକ ବୈଠକ ଚାଲୁ ରହିଥିଲା। ରାଜନାଥ ଏହି ବୈଠକ ପରେ କହିଛନ୍ତି, ଜେନେରାଲ ସଜିର ଶୋଇଗୁଙ୍କ ସହ ବୈଠକ ବହୁତ ଭଲ ଥିଲା। ଆମେ ବହୁତ ପ୍ରସଙ୍ଗ ବାବଦରେ କଥା ହେଲୁ। ବିଶେଷ କରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ କୂଟନୀତିକ ସହଯୋଗ ଦୃଢ କରିବା ଦିଗରେ ଆଲୋଚନା ହେଲା।