ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ଉପଲବ୍ଧି ହାସଲ କରିଛି। କେନ୍ଦ୍ର ସରକାର ଦିନକରେ ଆଉ ୨ଟି କରୋନା ଭ୍ୟାକ୍ସିନ ଓ ଏକ ଔଷଧକୁ ଜରୁରୀକାଳୀନ ସ୍ଥିତିରେ ଉପଯୋଗ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏଥିରେ କୋରବେଭେକ୍ସ ଓ କୋଭୋଭେକ୍ସ ଭ୍ୟାକ୍ସିନ ସହିତ ଆଣ୍ଟି-ଭାଇରାଲ ଔଷଧ ମୋଲନୁପିରାଭିର ସାମିଲ ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି।
ଖାସ୍ କଥାଟି ହେଲା, ଭାରତକୁ ଆଉ ଏକ ସ୍ୱଦେଶୀ ଭ୍ୟାକ୍ସିନ କୋରବେଭେକ୍ସ ମିଳିଯାଇଛି। ଏହାକୁ ହାଇଦ୍ରାବାଦସ୍ଥିତ ଫର୍ମ ବାୟଲୋଜିକାଲ-ଇ ପ୍ରସ୍ତୁତ କରିଛି। ଏହା ଭାରତର ପ୍ରଥମ ସ୍ୱଦେଶୀ ‘ଆରବିଡି ପ୍ରୋଟିନ ସବ-ୟୁନିଟ’ ଭ୍ୟାକ୍ସିନ।
ଡୀସୀଜିଆଇ କାର୍ଯ୍ୟାଳୟ ମେ’ ୧୭ରେ ଏସଆଇଆଇକୁ ‘କୋଭାଭେକ୍ସ’ ଭ୍ୟାକ୍ସିନର ନିର୍ମାଣ ଓ ଭଣ୍ଡାରଣ ପାଇଁ ଅନୁମତି ପ୍ରଦାନ କରିଥିଲେ। ଡୀସୀଜିଆଇର ଅନୁମତିକ୍ରମେ ପୁଣେସ୍ଥିତ କମ୍ପାନୀ ଭ୍ୟାକ୍ସିନ ନିର୍ମାଣ ଓ ଭଣ୍ଡାରଣ କରୁଛି।