ଚୀନକୁ କଡ଼ା ଜବାବ ଦେବାକୁ ଯୋଜନା: ଅରୁଣାଚଳରେ ବଡ଼ ଡ୍ୟାମ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ସ୍ଥଳ ଭାଗ ପରେ ଜଳ ଭାଗରେ ମଧ୍ୟ ରାଜନୀତି କରୁଛି ଚୀନ। ଭାରତ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଚୀନ ତିବତର ବ୍ରହ୍ମପୁତ୍ର ନଦୀରେ ବନ୍ଧ ନିର୍ମାଣ କରିବାକୁ ଘୋଷଣା କରିଥିବା ବେଳେ ଏହାର ଜବାବରେ ଭାରତ ସରକାର ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏଥି ସହିତ ଏଠାରେ ୧୦ ଗିଗାୱାଟର ହାଇଡ୍ରୋ-ପାୱାର ପ୍ରକଳ୍ପ ମଧ୍ୟ ଛିଡା କରାଯିବ।

ଜଳ ଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଟିଏସ ମେହରା କହିଛନ୍ତି, ଚୀନ ଡ୍ୟାମର ନକରାତ୍ମକ ପ୍ରଭାବକୁ କମ କରିବା ଲାଗି ଅରୁଣାଚଳ ପ୍ରଦେଶରେ ବ୍ରହ୍ମପୁତ୍ର ଉପରେ ଏକ ବଡ଼ ଡ୍ୟାମର ଆବଶ୍ୟକତା ରହିଛି। ଆମେ ଏସଂକ୍ରାନ୍ତରେ ସରକାରଙ୍କୁ ପ୍ରସ୍ତାବ ପଠାଇଛୁ। ସେ କହିଛନ୍ତି ଯେ, ଡ୍ୟାମ ନିର୍ମାଣ ହେବା ଦ୍ୱାରା ଭାରତ ପାଖରେ ଅଧିକ ଜଳ ଧାରଣ କରିବାର କ୍ଷମତା ରହିବ ଏବଂ ଚୀନର ଖରାପ ମାନସିକତାକୁ ଉଚିତ ଜବାବ ମିଳିପାରିବ।

ବ୍ରହ୍ମପୁତ୍ର ନଦୀ ତିବତରୁ ବାହାରି ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବାଂଲାଦେଶକୁ ପ୍ରବାହିତ ହୋଇଛି। ଭାରତର ଡ୍ୟାମ ପୂର୍ବାଞ୍ଚଳକୁ ଜଳ କଷ୍ଟ ଓ ଅଚାନକ ବନ୍ୟାଦାଉରୁ ମଧ୍ୟ ରକ୍ଷା କରିବ। ମେହରା କହିଛନ୍ତି ଯେ, ପୂର୍ବୋତ୍ତର ଅଂଚଳରେ ଭଲ ବର୍ଷା ଯୋଗୁଁ ମୌସୁମୀ ସମୟରେ ଭାରତରେ ବ୍ରହ୍ମପୁତ୍ର ନଦୀର ୯୦ ପ୍ରତିଶତ ପାଣି ଏହାର ଶାଖା ନଦୀ ଦେଇ ଆସିଥାଏ।