ଏଲଏସିରେ ଉତ୍ତେଜନା ନେଇ ଚଳିତ ମାସ ହୋଇପାରେ ଭାରତ-ଚୀନ ବୈଠକ!

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦ୍ଦାଖରେ ବିଗତ ୨ ବର୍ଷ ହେଲା ଜାରି ଥିବା ସୈନ୍ୟ ଉତ୍ତେଜନା ପାଇଁ ଭାରତ ଓ ଚୀନ ମଧ୍ୟରେ ଆଗାମୀ ପର୍ଯ୍ୟାୟରେ ଆଲୋଚନା ହେବାକୁ ଯାଉଛି। ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବୈଠକରେ ସକରାତ୍ମକ ଫଳ ବାହାରିପାରେ। ଏହି ବୈଠକ ପାଇଁ ଏପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ, ଚଳିତ ମାସରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ ଗୁରୁବାର ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଏଲଏସିରେ ଉତ୍ତେଜନା ନେଇ ସ୍ୱତନ୍ତ୍ର ତାରିଖ ସଂପର୍କରେ ମୋତେ ଜଣାନାହିଁ, ଯାହାକି କହିପାରିବି। କିନ୍ତୁ ଏସଂକ୍ରାନ୍ତରେ ଖୁବ ଶୀଘ୍ର କମାଣ୍ଡର ସ୍ତରୀୟ ବୈଠକ ହେବା ନେଇ ଆଶା କରାଯାଉଛି।

ଏହା ପୂର୍ବରୁ ଭାରତ-ଚୀନ ମଙ୍ଗଳବାର କୁଟନୈତିକ ଆଲୋଚନା ପାଇଁ ଖୁବ ଶୀଘ୍ର ବରିଷ୍ଠ କମାଣ୍ଡମାନଙ୍କ ଆଗାମୀ ଗସ୍ତର ବୈଠକ ଆୟୋଜିତ କରିବା ଲାଗି ସହମତି ଦେଇଥିଲେ। ଏହି ବୈଠକରେ ପୂର୍ବ ଲଦ୍ଦାଖରେ ଗତିରୋଧ ହେଉଥିବା ମାମଲାରେ ସୈନିକଙ୍କୁ ପୂରା ଫେରାଇ ନେବା ପାଇଁ ଚର୍ଚ୍ଚା କରାଯିବ।