ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡର ଚକ୍ରବ୍ୟୁହ ଭାଙ୍ଗିପାରିଲାନି ଭାରତ

ଦୁବାଇ,ଏଜେନ୍ସି: ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ଭାରତ ରବିବାର ପୁଣି ଥରେ ହାରିଛି। ପ୍ରଥମ ମ୍ୟାଚରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାଜିତ ହୋଇଥିବା ବେଳେ ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟରେ ହାରିଛି। ନ୍ୟୁଜିଲାଣ୍ଡ ନିଜର ରଣନୀତି ମୁତାବକ ମ୍ୟାଚ ଖେଳିଥିଲା। କିନ୍ତୁ ବିରାଟ କୋହଲିଙ୍କ ଟିମ ନ୍ୟୁଜିଲାଣ୍ଡର ଚକ୍ରବ୍ୟୁହ ଭାଙ୍ଗିବାକୁ ବିଫଳ ହୋଇଥିଲେ। ତେବେ ବର୍ତ୍ତମାନ କ୍ଷେତ୍ରରେ ଭାରତ ସେମିଫାଇନା ମ୍ୟାଚ୍‌ ଖେଳିବା ନେଇ ସଂକଟ ସ୍ଥିତି ପହଂଚିଛି। ଅର୍ଥାତ ଆଗାମୀ ୩ଟି ମ୍ୟାଚରେ ଭାରତ ବିଶାଳ ବ୍ୟବଧାନରେ ମ୍ୟାଚ ଜିତିଲେ ସେମିଫାଇନାଲରେ ପହଞ୍ଚି ପାରିବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିଫଳ ହୋଇଥିଲା। ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବାରୁ ଶୀର୍ଷ କ୍ରମର ୫ ଜଣ ଖେଳାଳି ଭଲ ସ୍କୋର କରିପାରି ନଥିଲେ। ଇଶନ କିଶନ ଓ କେଏଲ ରାହୁଲ ଯୋଡ଼ି ଫେଲ ହୋଇଥିଲେ। ରୋହିତ ଶର୍ମା, ବିରାଟ କୋହଲି ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଶେଷରେ ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବଡ଼ ସ୍କୋର କରିପାରି ନଥିଲେ।

ଶେଷରେ ରବୀନ୍ଦ୍ର ଜାଡେଜାଙ୍କ କିଛି ଭଲ ସର୍ଟ ଯୋଗୁଁ ଭାରତ ୯ଟି ୱିକେଟ ହରାଇ ୧୧୦ ରନ୍‌ କରିପାରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଏହି ବିଜୟ ଲକ୍ଷ୍ୟକୁ ୧୪.୩ ଓଭରରେ ୨ଟି ୱିକେଟ୍‌ ହରାଇ ପୂରା କରିଥିଲା। ନ୍ୟୁଜିଲାଣ୍ଡ ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଥିଲା।

ଭାରତ ନିଜର ପ୍ରଥମ ୨ଟି ମ୍ୟାଚ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି। ନେଟ ରନ୍‌ କ୍ଷେତ୍ରରେ ଭାରତର ସ୍କୋର ବହୁତ ପଛରେ ରହିଛି। ପାକିସ୍ତାନ ୩ଟି ମ୍ୟାଚ ବିଜୟୀ ହୋଇ ନିଜର ସେମିଫାଇନାଲ ସ୍ଥାନ ସୁନିଶ୍ଚିତ କରିସାରିଛି। ଆଫଗାନିସ୍ତାନ ମଧ୍ୟ ବଡ଼ ବ୍ୟବଧାନରେ ୨ଟି ମ୍ୟାଚ ଜିତିଛି। ଏବେ ଟିମ୍‌ ଇଣ୍ଡିଆକୁ ଅନ୍ୟ ୩ଟି ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବାକୁ ହେବ ଏବଂ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟ ଯିବ ବଡ଼ ବ୍ୟବଧାନରେ ମ୍ୟାଚ ହାରନ୍ତି, ତା’ପରେ ଭାରତକୁ ସେମିଫାଇନାଲ ମ୍ୟାଚ ଖେଳିବା ସୁଯୋଗ ମିଳିପାରେ। ସୂଚନାଯୋଗ୍ୟ ଭାରତ ନିଜର ପରବର୍ତ୍ତୀ ୩ଟି ମ୍ୟାଚରେ ଆଫଗାନିସ୍ତାନ, ନାମିବ୍ୟା ଓ ସ୍କଟଲାଣ୍ଡକୁ ମୁକାବିଲା କରିବ।