ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ, ସିରିଜ ବରାବର କଲା ଭାରତ

ହାଇଦ୍ରାବାଦ,ଏଜେନ୍ସି: ଭାରତ ଓ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ଦ୍ବିତୀୟ ମ୍ୟାଚରେ ଭାରତର ଦମଦାର ବିଜୟ । ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ପରାଜୟ କରିଛି ଭାରତ । ପ୍ରଥମ ମ୍ୟାଚରେ ବୋଲିଂ ବିପର୍ଯ୍ୟୟ ଯୋଗୁଁ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର କରିଛି ଭାରତ । ନାଗପୁରରେ ଶୁକ୍ରବାର ଏହି ମ୍ୟାଚ ଖେଳାଯାଇଥିବା ବେଳେ ବର୍ଷା ଯୋଗୁଁ ଷ୍ଟାଡିୟମ ଓଦା ଥିବାରୁ ବିଳମ୍ବରରେ ଆରମ୍ଭ ହୋଇଥିଲା । ବିଳମ୍ବ ଯୋଗୁଁ ୨୦ ଓଭର ପରିବର୍ତ୍ତେ ୮ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ୮ ଓଭରରେ ଅଷ୍ଟ୍ରେଲିୟା ୫ ୱିକେଟ ହରାଇ ୯୦ ରନ ସଂଗ୍ରହ କରି ଭାରତକୁ ବିଜୟୀ ହେବା ପାଇଁ ୯୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଭାରତ ବ୍ୟାଟିଂ ଆରମ୍ଭ କରି ୮ଓଭର ଶେଷ ଶୁଦ୍ଧା ୪ ଓ୍ବିକେଟ ହରାଇ ୯୨ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ଶର୍ମା ୨୦ଟି ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୪ଟି ଛକା ବଳରେ ୪୬ ରନ କରି ଶେଷ ଯାଏଁ ଖେଳିଥିଲେ ।

ସେହିପରି ଦିନେଶ କାର୍ତ୍ତିକ ମାତ୍ର ୨ଟି ବଲ ଖେଳି ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ୧୦ ସହ ସଫଳ ଫିନିସର ସାବ୍ୟସ୍ତ ହୋଇଥିଲେ । ରୋହିତ ବାହିନୀ ୮ ଓଭରକୁ ଦୃଷ୍ଟିରେ ରଖି ପ୍ରଥମେ ବୋଲିଂ ରଣକୌଶଳ ଆରମ୍ଭ କରି ଦ୍ବିତୀୟ ଓଭରେ କଙ୍ଗାରୁ ଦଳର ଓପନିଂ ଯୋଡି ଭାଙ୍ଗିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ୨ ଓଭର ବୋଲିଂ କରି ୧୩ ରନ ବ୍ୟୟରେ ୨ଟି ୱିକେଟ ନେଇଥିବା ବେଳେ ଜଶପ୍ରିତ ବୁମରା ୨ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ ନେଇଥିଲେ ।

ସେହିପରି ଅଷ୍ଟ୍ରେଲିଆ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ଥିବା ବେଳେ ଅଧିନାୟକ ଆରୋନ ଫିଞ୍ଚ ଦମଦାର ସଟ ଖେଳିଥିଲେ । ସେ ୧୫ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୧ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ମାଥ୍ୟୁ ୱାଡେଙ୍କ ୨୦ ବଲରୁ ଚାରୋଟି ଚୌକା ଏବଂ ତିନୋଟି ଛକା ସହିତ ବିସ୍ଫୋରକ ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ବୋଲିଂରେ ଆଦାମ ଜମ୍ପା ଓ ପେଟ କମିନ୍ସ ୨ଲେଖାଏଁ ଓ୍ବିକେଟ ନେଇ ଥିଲେ ମଧ୍ୟ ଦଳ ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇଛି ଦଳ ।

ଟି-୨୦ ମ୍ୟାଚର ପ୍ରଥମ ମ୍ୟାଚରେ ଭାରତ ବୋଲିଂରେ ବିଫଳ ହୋଇ ପରାସ୍ତ ହୋଇଥିଲା । ଫଳରେ ଶୁକ୍ରବାର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଥିଲା । ୮ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଦଳ ସିରିଜ ବରାବର କରିଛି । ଆସନ୍ତା ରବିବାର ଉଭୟ ଦଳ ମଧ୍ୟରେ ହାଇଦ୍ରାବାଦରେ ଶେଷ ମ୍ୟାଚ ଖେଳାଯିବ ।