ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌: କୋହଲିଙ୍କ ଶହେତମ ଓ ରୋହିତଙ୍କ ଅଧିନାୟକ ଡେବ୍ୟୁ

ମୋହାଲି,ଏଜେନ୍ସି: ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେଉଛି ଭାରତ ଓ ଶ୍ରୀଲଙ୍କା ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍। ଏହି ମ୍ୟାଚ୍‌ଟି ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ କୋହଲି ତାଙ୍କର ଶହେତମ ଟେଷ୍ଟ୍ ଖେଳିବାକୁ ଯାଉଥିବା ବେଳେ ଅନ୍ୟପଟେ ରୋହିତ ଅଧିନାୟକ ଭାବେ ଏହି ମ୍ୟାଚ୍‌ରେ ଡେବ୍ୟୁ କରିବେ। ସେହିପରି ଦୀର୍ଘଦିନ ପରେ ଭାରତ ଦୁଇ ଟେଷ୍ଟ୍ ସ୍ପେଶାଲିଷ୍ଟ୍ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବିନା ଖେଳିବାକୁ ଯାଉଛି।

ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଶୁବମାନ ଗିଲ୍‌, ହନୁମା ବିହାରୀ ଓ ଶ୍ରେୟସ୍ ଆୟରଙ୍କ ମଧ୍ୟରୁ କାହାକୁ ମିଳିବ, ସେନେଇ ଅଧିନାୟକ ରୋହିତ କିଛି ବି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି ଯେ ରାହାଣେ ଓ ପୂଜାରାଙ୍କ ବିନା ଟେଷ୍ଟ୍ ମ୍ୟାଚ୍ ଆମ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜିଂ ହେବ। କିନ୍ତୁ ସେମାନଙ୍କୁ ବାଦ୍ ଦେଇ ଆମକୁ ଆଗକୁ ବଢ଼ିବାକୁ ହେବ। ଅବଶ୍ୟ ଭାରତୀୟ ଟିମ୍ ପ୍ରତି ଉଭୟଙ୍କ ଅବଦାନକୁ କେହି ଭୁଲିବା ଉଚିତ ନୁହେଁ। ସେମାନଙ୍କ ଅବଦାନ ପାଇଁ ହିଁ ଭାରତ ବିଦେଶରେ ଟେଷ୍ଟ୍ ସିରିଜ୍ ହେଉ ଅବା ଘରୋଇ ମାଟିରେ ଆଧିପତ୍ୟ, ସବୁଥିରେ ଦଳ ସଫଳ ହୋଇଛି। ଦଳକୁ ବିଶ୍ୱର ଏକ ନମ୍ବର ଟେଷ୍ଟ୍ ଟିମ୍ କରିବାରେ ବି ସେମାନଙ୍କ ଅବଦାନ ଅତୁଳନୀୟ। ତେଣୁ ସେମାନଙ୍କ ସ୍ଥାନ ପୂରଣ କରିବା ସେତେଟା ସହଜ ନୁହେଁ। କିନ୍ତୁ ଯୁବ ଖେଳାଳି ଗିଲ୍‌, ବିହାରୀ ଓ ଶ୍ରେୟସ୍ ଯେତେବେଳେ ବି ସୁଯୋଗ ପାଇଛନ୍ତି, ସବୁବେଳେ ନିଜକୁ ପ୍ରମାଣିତ କରିପାରିଛନ୍ତି ବୋଲି ରୋହିତ କହିଛନ୍ତି।

ପୂଜାରା ଓ ରାହାଣେଙ୍କ ବ୍ୟତୀତ ଶହେରୁ ଊର୍ଦ୍ଧ୍ୱ ଟେଷ୍ଟ୍ ଖେଳିଥିବା ଈଶାନ୍ତଙ୍କ ଅବଦାନକୁ ମଧ୍ୟ ରୋହିତ ପ୍ରଶଂସା କରିଛନ୍ତି। ଏଥିସହ ଏହି ତିନି ଖେଳାଳିଙ୍କ ଟେଷ୍ଟ୍ କ୍ୟାରିୟର୍ ଶେଷ ହୋଇଗଲା ବୋଲି କେହି ବି ଭାବିବା ଉଚିତ ନୁହେଁ। ଆଗାମୀ ଦିନରେ ସେମାନେ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଦୁରୂହ ବ୍ୟାପାର ନୁହେଁ ବୋଲି ରୋହିତ କହିଛନ୍ତି।

ସେହିପରି ଯୁବ ଖେଳାଳିମାନେ ଟେଷ୍ଟ୍ କ୍ରିକେଟ୍‌ରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ହାତଛଡ଼ା କରିବେ ନାହିଁ ବୋଲି ରୋହିତ ଆଶା ପ୍ରକାଶ କରିଛନ୍ତି। ଏହି ଯୁବ ଖେଳାଳିମାନେ ଆଗାମୀ ଦିନରେ ବର୍ଷ ବର୍ଷ ଧରି ଟେଷ୍ଟ୍ କ୍ରିକେଟ୍ ଖେଳି ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ ବୋଲି ମଧ୍ୟ ରୋହିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ଅଧିନାୟକ କୋହଲିଙ୍କର ଏହି ଶହେ ତମ ଟେଷ୍ଟ୍‌ରେ ବିଜୟ ଲାଭ କରି ଏହାକୁ ସ୍ମରଣୀୟ କରିବା ଟିମ୍‌ର ଲକ୍ଷ୍ୟ ବୋଲି ରୋହିତ କହିଛନ୍ତି। ବିଗତ ଦିନରେ କୋହଲି ଟେଷ୍ଟ୍ କ୍ରିକେଟ୍‌ରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ କିଛି କରିବା ତାଙ୍କ ପାଇଁ ବାକି ଅଛି ବୋଲି ରୋହିତ ମତ ଦେଇଛନ୍ତି। ସେହିପରି ୨୦୧୩ରେ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ରେ କୋହଲି ଅର୍ଜନ କରିଥିବା ଶତକ ତାଙ୍କ ପସନ୍ଦର ସବୁଠାରୁ ଶ୍ରେଷ୍ଠ ଇନିଂସ ବୋଲି ରୋହିତ କହିଛନ୍ତି।

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗରୱାଲ୍‌, ଶୁବମାନ ଗିଲ୍‌/ହନୁମା ବିହାରୀ/ଶ୍ରେୟସ୍ ଆୟର୍‌, ବିରାଟ କୋହଲି, ଗିଲ୍‌/ବିହାରୀ/ଆୟର୍‌, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଜୟନ୍ତ ଯାଦବ/କୁଲଦୀପ ଯାଦବ/ସୌରଭ କୁମାର, ମହମ୍ମଦ ଶମି/ମହମ୍ମଦ ସିରାଜ୍‌/ଉମେଶ ଯାଦବ ଓ ଜସପ୍ରୀତ୍ ବୁମ୍‌ରା।

ସମ୍ଭାବ୍ୟ ଶ୍ରୀଲଙ୍କା ଏକାଦଶ: ଦିମୁଥ୍ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, ପାଥୁମ୍ ନିଶଙ୍କା, ଆଞ୍ଜେଲୋ ମାଥ୍ୟୁସ୍‌, ଧନଞ୍ଜୟ ଡି’ ସିଲ୍‌ଭା, ଦିନେଶ ଚାଣ୍ଡିମାଲ୍‌/ଚରିତ ଅସଲଙ୍କା, ନିରୋଶନ୍ ଡିକୱେଲା (ୱିକେଟ୍‌କିପର୍‌), ସୁରଙ୍ଗା ଲକମଲ୍‌, ଲାସିଥ୍ ଏମ୍ବୁଲଦେନିୟା, ପ୍ରବୀଣ ଜୟବିକ୍ରମା/ବିଶ୍ୱା ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା।