ଭାରତ-ଚୀନ୍‌ ସାମରିକସ୍ତରୀୟ ଆଲୋଚନା ବିଫଳ

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖ୍‌ ଅଞ୍ଚଳରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ରବିବାର ଦିନ ଭାରତ ଓ ଚୀନ୍‌ ମଧ୍ୟରେ ଅନୁଷ୍ଠିତ ସାମରିକସ୍ତରୀୟ ବୈଠକ ବିଫଳ ହୋଇଥିବା କଥା ଭାରତୀୟ ସେନା କହିଛି। ପ୍ରସ୍ତାବ ଗ୍ରହଣ କରିବାକୁ ଚୀନା ପକ୍ଷ ଅରାଜି ହେବା ସହ କୌଣସି ଅଗ୍ରଗତିମୂଳକ ପ୍ରସ୍ତାବ ଦେଇ ନ ପାରିବାରୁ ଉପରୋକ୍ତ ବୈଠକରୁ କିଛି ସୁଫଳ ମିଳିଲା ନାହିଁ।

ଏ ସଂକ୍ରାନ୍ତରେ ବିବୃତି ଦେଇ ସେନା କହିଛି, ବାକି ଅଞ୍ଚଳର ବିବାଦ ସମାଧାନ ପାଇଁ ଉକ୍ତ ବୈଠକରେ ଭାରତ ତରଫରୁ ଗଠନମୂଳକ ପ୍ରସ୍ତାବମାନ ଦିଆଯାଇଥିଲା। କିନ୍ତୁ, ଚୀନା ପକ୍ଷ ଉକ୍ତ ପ୍ରସ୍ତାବରେ ସମ୍ମତ ହେଲେନାହିଁ କି, କୌଣସି ଅଗ୍ରଗତିମୂଳକ ପ୍ରସ୍ତାବ ମଧ୍ୟ ଦେଇ ପାରିଲା ନାହିଁ। ତେଣୁ, ବାକି ଅଞ୍ଚଳର ସମସ୍ୟା ସମାଧାନ ନିମନ୍ତେ ଏହି ବୈଠକ ଫଳପ୍ରସୂ ହେଲାନାହିଁ।

କିନ୍ତୁ, ଯୋଗାଯୋଗ ବଜାୟ ରଖିବା ସହ କ୍ଷେତ୍ରବିଶେଷରେ ସ୍ଥିରତା ବଜାୟ ରଖିବା ଲାଗି ଦୁଇ ପକ୍ଷ ରାଜି ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି ସାମଗ୍ରିକ ଦୃଷ୍ଟି ଦେବା ସହ ଦ୍ୱିପାକ୍ଷିକ ଚୁକ୍ତି ଓ ନୀତିକୁ ଆଧାର କରି ଚୀନ୍‌ ବାକି ସମସ୍ୟାର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

ଉପରୋକ୍ତ ବୈଠକ ବିଫଳ ହୋଇଥିବା କଥା ମଧ୍ୟ ଚୀନ୍‌ ସେନାର ‘େଓ୍ଵଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡ୍‌’ ସୂଚନା ଦେଇଛି। ‘େଓ୍ଵଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡ୍‌’ କହିଛି, ଭାରତ ଅଯୌକ୍ତିକ ଏବଂ ଅବାସ୍ତବ ଦାବି ଉପରେ ଜିଦ୍‌ କରୁଥିବାରୁ ବୁଝାମଣା କରାଯିବାରେ ଅସୁବିଧା ହେଉଛି। ରବିବାର ଦିନ ପ୍ରାୟ ସାଢ଼େ ୮ଘଣ୍ଟା ଧରି ଚାଲିଥିବା ୧୩ ‘କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନା’ରେ ପୂର୍ବ ଲଦାଖର ବାକିତକ ‘ଫ୍ରିକ୍ସନ୍‌ ପଏଣ୍ଟ୍‌’ରୁ ତୁରନ୍ତ ସୈନ୍ୟ ଅପସାରଣ ପାଇଁ ଭାରତ ଚୀନ୍‌କୁ କହିଥିଲା।