ବ୍ରିସବେନ ଟେଷ୍ଟ: ଭାରତ-ଅଷ୍ଟ୍ରେଲିଆ ଶେଷ ଲଢ଼େଇ, କଙ୍ଗାରୁ ଟିମର ଚିନ୍ତା ବଢ଼ାଇବେ ୬ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୋର୍ଡର ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚ ବ୍ରିସବେନରେ ଆସନ୍ତା ୧୫ ତାରିଖ ଠାରୁ ଖେଳାଯିବ। ବର୍ତ୍ତମାନ ଯାଏଁ ଏହା ଶୃଙ୍ଖଳା ୧-୧ରେ ଡ୍ର ଅଛି। ନିର୍ଣ୍ଣାୟକ ମ୍ୟାଚ ପରେ ଫଳାଫଳ ନିର୍ଦ୍ଧାରଣ ହେବ। ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ସମେତ କିଛି ଅନ୍ୟ ଖେଳାଳି ଆଘାତ ଯୋଗୁଁ ଖେଳିପାରିବେ ନାହିଁ। ଏହା ପରେ ମଧ୍ୟ ଅତିଥି ଦଳ ଘରୋଇ ଟିମ ପାଇଁ ଚିନ୍ତା ବଢ଼ାଇବାର କ୍ଷମତା ରଖିଛି।

ଆଘାତ ପାଇ ଟିମକୁ ଫେରିଥିବା ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ସିଡନୀରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବ୍ରିସବେନରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯୁବ ଓପନର ଶୁଭମନ ଗିଲ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସିଛନ୍ତି। ସେହିପରି ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେ ମେଲବୋର୍ଣ୍ଣରେ ଶତକ ହାସଲ କରିଥିଲେ। ତେଣୁ ଭାରତୀୟ ପ୍ରଶଂସକ ତାଙ୍କ ଠାରୁ ଶେଷ ଟେଷ୍ଟରେ ଭଲ ଆଶା ରଖିଛନ୍ତି।

ନିଜର ଯାଦୁକରୀ ବୋଲିଂରେ ବିରୋଧୀ ଟିମକୁ ଭୟଭୀତ କରିପାରୁଥିବା ରବିଚନ୍ଦ୍ରନ ଅଶ୍ୱିନ ସିଡନୀ ଟେଷ୍ଟରେ ଯେଭଳି ପ୍ରଦର୍ଶନ କରିଥିଲେ, ଏହାକୁ ବ୍ରିସବେନରେ ମଧ୍ୟ କରିବାକୁ ଉଦ୍ୟମ କରିବେ। ଯଦି ଯଶପ୍ରୀତ ବୁମରା ନ ଖେଳନ୍ତି, ତା’ହେଲେ ପିତାଙ୍କ ମୃତ୍ୟୁ ପରେ ବି ଅଷ୍ଟ୍ରେଲିଆରେ ଥିବା ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଉପରେ ବଡ଼ ଦାୟିତ୍ୱ ରହିବ। କୁହାଯାଉଛି ଯେ, ଟି ନଟରାଜନଙ୍କୁ ମଧ୍ୟ ବ୍ରିସବେନ ଶୃଙ୍ଖଳାରେ ସୁଯୋଗ ମିଳିପାରେ।