ବଢିବ ଭାରତୀୟ ବାୟୁସେନାର ଶକ୍ତି, ତେଜସ କିଣିବା ପାଇଁ ଆଜି ହେଉଛି ୪୮ ହଜାର କୋଟି ଟଙ୍କାର ଚୁକ୍ତି

ନୂଆଦିଲ୍ଲୀ,ଏଜେନ୍ସି: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି। ବାୟୁସେନାରେ ସାମିଲ ହେବ ଯୁଦ୍ଧ ବିମାନ ତେଜସ। କେନ୍ଦ୍ର ସରକାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରୁ ୮୩ ତେଜସ ଯୁଦ୍ଧ ବିମାନ କିଣିବା ପାଇଁ ୪୮ ହଜାର କୋଟି ଟଙ୍କାର ଚୁକ୍ତି କରିବେ। ଏହା ସର୍ବ ବୃହତ ସ୍ୱଦେଶୀ ପ୍ରତିରକ୍ଷା କ୍ରୟ ଚୁକ୍ତି ହେବ।

ମାର୍ଚ୍ଚ ୨୦୨୪ ରେ ଭାରତୀୟ ବାୟୁସେନା ପାଇବ ସ୍ୱଦେଶୀ ବିକଶିତ ତେଜସ ଯୁଦ୍ଧ ବିମାନ। ବେଙ୍ଗାଲୁରୁରେ ‘ଏରୋ ଇଣ୍ଡିଆ’ ୨୦୨୧ର ଏୟାର ସୋ’ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାୟୁସେନା ଅଧିକାରୀ ଓ ହାଲର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ।

ଜାନୁଆରୀ ୧୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସିସିଏସ ବୈଠକରେ ବାୟୁସେନା ପାଇଁ ତେଜସର ଉନ୍ନତ ସଂସ୍କରଣର ଏମକେ -୧ଏ ୭୩ଟି ବିମାନ ଏବଂ ୧୦ଟି ଟ୍ରେନର ସଂସ୍କରଣ କିଣିବା ପାଇଁ ଚୁକ୍ତିକୁ ଅନୁମୋଦନ ମିଳିଛି। ୪୮ ହଜାର କୋଟି ଟଙ୍କାରେ ଯୁଦ୍ଧ ବିମାନ ତେଜସର କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବ। ପ୍ରଥମ ପର୍ଯ୍ୟାୟରେ ୪ଟି ବିମାନ ତେଜସ ବାୟୁସେନାରେ ସାମିଲ ହେବ। ପରେ ୨୦୨୫ ରୁ ୮୩ ତେଜସ ବିମାନ ଯୋଗାଣ ସରିବା ପର୍ଯ୍ୟନ୍ତ ପ୍ରତିବର୍ଷ ୧୬ଟି ବିମାନ ବାୟୁସେନାରେ ସାମିଲ ହେବ।

ତେଜସ୍ ହେଉଛି ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ, ଯାହା ସ୍ୱଦେଶୀ ବିକଶିତ। ଏହି ବିମାନଟି ଇଲେକ୍ଟ୍ରୋନିକ୍ ସ୍କାନ୍ ହୋଇଥିବା ଆକ୍ଟିଭ୍ ଏରେ ରାଡାର, ଆଉଟ୍ ଭିଜିବିଲିଟି ସ୍କୋପ୍, କ୍ଷେପଣାସ୍ତ୍ର, ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଯୁକ୍ତିବିଦ୍ୟା ଏବଂ ବାୟୁ ଇନ୍ଧନ କ୍ଷମତା ସହ ରହିଛି।

ତେଜସ୍ ଏକା ସାଙ୍ଗରେ ୯ ପ୍ରକାରର ଅସ୍ତ୍ର ଲୋଡ୍ କରି ଆକ୍ରମଣ କରିହେବ। ଏହି ବିମାନଟି ଆଣ୍ଟିସିପ୍ କ୍ଷେପଣାସ୍ତ୍ର, ବୋମା ଏବଂ ରକେଟ୍ ସହିତ ସଜ୍ଜିତ ହୋଇଛି। ତେଜସ୍ ବାୟୁରୁ ବାୟୁ, ସ୍ଥଳ ଏବଂ ଜଳରେ ଥିବା ଶତ୍ରୁକୁ ମଧ୍ୟ ଆକ୍ରମଣ କରିପାରିବ। ତେଜସରେ ଜାମର ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଅଛି ଯାହା ଦ୍ୱାରା ଦୁର୍ଗମ ଅଞ୍ଚଳରେ ମଧ୍ୟ ଯୋଗାଯୋଗ ହୋଇପାରିବ। ତେଜସ୍ ଏକ ସୁପରସୋନିକ୍ ଯୁଦ୍ଧ ବିମାନ, ଯାହା ୧୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ। ୪୨ ପ୍ରତିଶତ କାର୍ବନ ଫାଇବର, ୪୩ ପ୍ରତିଶତ ଆଲୁମିନିୟମ ଏଲୟ ଏବଂ ଟାଇଟାନିୟମରୁ ତିଆରି ହୋଇଛି ତେଜସ୍।