ୟୁକ୍ରେନରେ ଋଷର ମାନବିକ ଅଧିକାରର ଉଲ୍ଲଂଘନ ଅଭିଯୋଗର ତଦନ୍ତ କରିବ ଜାତିସଂଘ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର ଆଜି ନବମ ଦିନ। ଋଷୀୟ ସେନା ୟୁକ୍ରେନ୍‌କୁ ଚାରି ଦିଗରୁ ଘରିବାକୁ ଚେଷ୍ଟା କରୁଛି। ଏଥି ସହିତ ୟୁକ୍ରେନ୍‌ର ବହୁ ସହରକୁ ଋଷୀୟ ସୈନିକ ଦଖଲକୁ ନେଇଥିବା ଋଷ ଦାବି କରିଛି। ଏହି ସମୟରେ, ଋଷର ସେନା ମଧ୍ୟ ଜାପୋରିଜିଆରେ ଥିବା ଆଣବିକ କାରଖାନା ଉପରେ ଆକ୍ରମଣ କରି ନିୟନ୍ତ୍ରଣକୁ ନେଇଛି।

ତେବେ ଏହାରି ମଧ୍ୟରେ ୟୁକ୍ରେନ୍‌ରେ ମାନବାଧିକାର ଉଲଂଘନ କରିବା ଅଭିଯୋଗରେ ଋଷ ବିରୋଧରେ ତଦନ୍ତ କରିବା ଲାଗି ମିଳିତ ଜାତିସଂଘର ମାନବାଧିକାର ପରିଷଦ ତଦନ୍ତ କମିଶନ ଗଠନ ଉପରେ ସ୍ୱତନ୍ତ୍ର ବୈଠକରେ ମତଦାନ ହୋଇଛି। ଏଠାରେ ମଧ୍ୟ ଭାରତ ଭୋଟ୍ ଦେବାରୁ ଦୂରେଇ ରହିଛି।

ଏହି ବୈଠକରେ ଋଷ ବିରୋଧରେ ତଦନ୍ତ ପାଇଁ ୪୭ ସଦସ୍ୟ ବିଶିଷ୍ଟ ପରିଷଦର ୩୨ ଟି ଦେଶ ଏହାକୁ ସପକ୍ଷରେ ଭୋଟ୍ ଦେଇଥିବାବେଳେ ଦୁଇ ଦେଶ ଏହାକୁ ବିରୋଧ କରିଛନ୍ତି। ଏହି ସଂକଳ୍ପ ବିରୋଧରେ ଭୋଟ୍ ଦେଇଥିବା ଦେଶ ମଧ୍ୟରେ ଋଷ ଏବଂ ଇରିଟ୍ରିଆ ରହିଛନ୍ତି। ତେବେ ଭାରତ ସମେତ ଆର୍ମେନିଆ, କାମେରୁନ, ଚୀନ୍, କ୍ୟୁବା, କାଜାଖସ୍ତାନ, ପାକିସ୍ଥାନ, ସୁଦାନ, ଉଜବେକିସ୍ତାନ, ଭେନେଜୁଏଲା ଭଳି ୧୩ ଟି ଦେଶ ଭୋଟ୍ ଦେବା ଠାରୁ ଦୂରେଇ ରହିଥିଲେ।