ଦେବଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଇନ୍ଧିରାଗାନ୍ଧୀ ଷ୍ଟାଡିୟମଠାରେ ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଷ୍ଟାଡିୟମରେ ଆଣ୍ଠୁଏ ପାଣି ମଧ୍ୟରେ ପୁଲିସ ବାହିନୀ ଜାତୀୟ ପତାକାକୁ ସଲାମି ଦେଇଥିବାବେଳେ ପୁଲିସ ବ୍ୟାଣ୍ଡର ସଦସ୍ୟମାନେ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତିକୂଳ ପାଗ ଏବଂ କରୋନା କଟକଣା ଯୋଗୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ଜନସାଧାରଣ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନଥିବାବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ହାତଗଣତି ଅଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବି ନାରାୟଣ ସିଂ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଉପସ୍ଥିତ ଥିଲେ।