ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇନାଲ୍ ଟକ୍କର

ବେଙ୍ଗାଲୁରୁ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଦ୍ୱିପାକ୍ଷିକ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଭାରତ ଘରୋଇ ପଡିଆରେ ଏକ ବର୍ଷ ତଳର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ଭାରତକୁ ଆଉ ଏକ ସିରିଜ ପରାସ୍ତ କରି ଆରୋନ୍ ପିଞ୍ଚ ରେକର୍ଡ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିବେ। ଚଳିତ ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ୱାଙ୍ଖଡେ ଷ୍ଟାଡ଼ିୟମରେ ୧୦ ୱିକେଟ୍ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଭାରତ ରାଜକୋଟରେ ୩୬ ରନ୍ ଜିତି ସିରିଜ ବରାବର କରିଥିଲା।

ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲୀୟ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଏହା ବଦଳି ଯାଇଥିଲା। ଭାରତୀୟ ବୋଲର ପ୍ରଥମ ମ୍ୟାଚ୍ରେ ଗୋଟିଏ ବି ୱିକେଟ୍ ନେବାକୁ ସକ୍ଷମ ହୋଇନଥିବା ବେଳେ ରାଜକୋଟରେ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲେ। ବେଙ୍ଗାଲୁରୁ ମ୍ୟାଚ୍ ନିର୍ଣ୍ଣାୟକ ହୋଇଥିବାରୁ ଏହି ମ୍ୟାଚ୍ରେ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ସିରିଜ ଜିତିବାକୁ ଚେଷ୍ଟା କରିବେ।

ପିଚ୍ ଓ ପାଗ
ଚିନ୍ନାସ୍ୱାମୀର ପ୍ଲାଟ୍ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। କିନ୍ତୁ ଭାରତୀୟ ଷ୍ଟାଡ଼ିମୟଗୁଡ଼ିକ ମଧ୍ୟରେ ଏଠାକାର ଜଳବାୟୁ ସୁଇଙ୍ଗ ବୋଲରଙ୍କ ପାଇଁ ଫାଇଦା ଆଣିଥାଏ। ସୁଇଙ୍ଗ ବୋଲର ଓ ସ୍ପିନର ଏଠାରେ ୱିକେଟ ପାଇଥାନ୍ତି। ଏଠାର ପିଚ୍ ପାଇଁ ଟସ୍ ଜିତିବା ଦଳ ଫିଲ୍ଡିଂ କରିବାକୁ ପସନ୍ଦ କରିଥାନ୍ତି। ରବିବାର ବେଙ୍ଗାଲୁରୁ ଆକାଶ ମେଘାଚ୍ଛନ ରହିବ। କିନ୍ତୁ ବର୍ଷାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ଭାବ୍ୟ ଦଳ: ଭାରତ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ କୋହଲି (ଅଧିନାୟକ), ଲେକେଶ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟାର, ମନୀଷ ପାଣ୍ଡେ/ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ନବଦୀପ ସୈନୀ, ମହମ୍ମଦ ସାମି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ମାର୍ନସ୍ ଲାବୁଶେନ୍, ଷ୍ଟିଭେନ୍ ସ୍ମିଥ, ଆଷ୍ଟନ୍ ଟର୍ଣ୍ଣର, ଆଲେକ୍ସ କ୍ୟାରେ, ଆଷ୍ଟନ୍ ଅଗର/ଡି ଆର୍ଚି ସଟ୍, ପାଟ କମିନ୍ସ, ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ୍/ଜୋଶ ହାଜଲଉଡ୍, ଆଡାମ ଜମ୍ପା।

ସ୍ଥାନ: ବେଙ୍ଗାଲୁରୁ
ସମୟ: ଦିନ ୧.୩୦
ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ/ଏଚଡି