ଦାରିଙ୍ଗବାଡ଼ିରେ୧୦ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ବ୍ଲକରୁ ଆଜି ୧୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ୧୦ଜଣ କରୋନା ଯୋଦ୍ଧା ରହିଛନ୍ତି। ସଂକ୍ରମିତ ଯୋଦ୍ଧାଙ୍କ ମଧ୍ୟରେ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୀଳକନ୍ଦର ସାହିର ଜଣେ ୫୫ ବର୍ଷୀୟ ପୁରୁଷ, ୩୮ ବର୍ଷୀୟା ମହିଳା, ଗ୍ରୀନବାଡ଼ିର ୬୫ ବର୍ଷୀୟ ବୃଦ୍ଧ ଓ ବି.ଡକେବାଡ଼ି ଅଞ୍ଚଳର ଜଣେ ୨୮ବର୍ଷୀୟା ମହିଳା ରହିଥିବା ଜଣାପଡ଼ିଛି। ଏନେଇ ଟ୍ୱିଟ୍ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକରୁ ପ୍ରଥମେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ଦାରିଙ୍ଗବାଡ଼ି ବିଡିଓ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ। ଦାରିଙ୍ଗବାଡ଼ି ବିଡିଓ ଗତକାଲି ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଜି ଆଉ ୧୦ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ହୋଇଥିବା ସମସ୍ତଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।