ଜନ୍ତୁ ଶିକାର ଫାସରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ୯ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ଅନ୍ତର୍ଗତ ନିଶାବିରା ଗ୍ରାମରେ ବେଆଇନ ଜନ୍ତୁ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଦେବ ସାହୁ । ମୃତକଙ୍କ ପୁଅ କୁନା ସାହୁଙ୍କ ଅଭିଯୋଗ ଆଧାରରେ ଆଜି ରିଆମାଳ ଥାନାଧିକାରୀ ଲଳିତା ସାହୁଙ୍କ ନେତୃତ୍ୱରେ ରିଆମାଳ ଥାନା ପୁଲିସ ନିଶାବିରା ଓ କାଇଁସର ଗ୍ରାମରେ ଚଢ଼ଉ କରି ୯ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ କାଇଁସିର ଗ୍ରାମର ବିଷ୍ଣୁ ପ୍ରଧାନ, ତଂଲୁ ସାହୁ, ପ୍ରତାପ ବାଙ୍ଗରୁ କିସାନ, ତନୁ ପ୍ରଧାନ, ବିକାଶ କିସାନ, ଅର୍ଜୁନ ପ୍ରଧାନ, ମାନସ ସାହୁ, ବାବୁଲି ସାହୁ ଓ ପ୍ରମୋଦ ପ୍ରଧାନ । ଏଥିସହିତ ଅଭିଯୁକ୍ତଙ୍କଠାରୁ ବେଆଇନ ବନ୍ଧୁକ, ବିଦ୍ୟୁତ ତା’ର, ସୀସା ପ୍ଲେଟ, କୁରାଢ଼ୀ, ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ସାମଗ୍ରୀ ଓ ମୋବାଇଲ ଫୋନ ଜବତ କରିଥିବା ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି ।