ଉହାନ୍‌ର ପଶୁ ବଜାରରେ ମିଳିଥିଲା ପ୍ରଥମ କୋଭିଡ-୧୯ ସଂକ୍ରମଣ: ହୁ’ ଅଧ୍ୟୟନ

ନ୍ୟୁୟର୍କ,ଏଜେନ୍ସି: କରୋନାର ପ୍ରଥମ ସଂକ୍ରମଣ କେଉଁଠାରୁ ଆରମ୍ଭ ହୋଇଥିଲା ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧ୍ଧୟନ ଆରମ୍ଭ କରିଥିଲା। ତଦନ୍ତରୁ ଜଣାଯାଇଛି ଯେ, ଚୀନର ଉହାନର ପଶୁ ବଜାରରେ ଜଣେ ବ୍ୟବସାୟୀ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ଏହି ବ୍ୟବସାୟୀ ଜଣେ ମହିଳା ଥିଲେ, ଯିଏକି ବଜାରରେ କାମ କରୁଥିଲେ। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆରମ୍ଭରୁ କରୋନା ଭାଇରସର ପ୍ରଥମ ସଂକ୍ରମଣକୁ ନେଇ ଯାହା କୁହାଯାଉଥିଲା, ଏହା ଭୁଲ ଥିଲା।

ଆମେରିକୀୟ ଖବରକାଗଜ ’ଦ ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁସାରେ କରୋନା ସଂକ୍ରମଣରେ ସଂକ୍ରମିତ ମହିଳା ବ୍ୟବସାୟୀ ଚୀନର ମଧ୍ୟ ଉହାନ ସହରର ହୁଆନାରେ ଜୀବିତ ପଶୁମାନଙ୍କ ବଜାରରେ କାମ କରୁଥିଲେ। ଏଠାରୁ ୨୦୧୯ ଶେଷ ବେଳକୁ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଥିଲା। ଏହା ପୂର୍ବରୁ ଜଣେ ଆକାଉଣ୍ଟାଣ୍ଟଙ୍କୁ କରୋନାର ପ୍ରଥମ ସଂକ୍ରମିତ ବ୍ୟକ୍ତି ବୋଲି କୁହାଯାଉଥିଲା। ସୂଚନା‌ଯୋଗ୍ୟ ୨୦୧୯ ଡିସେମ୍ବର ୧୬ରେ ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥିଲା।

ୟୁନିଭରସିଟି ଅଫ ଏରିଜୋନାରେ ଇକୋଲୋଜି ଏବଂ ଇଭୋଲ୍ୟୁଶନାରି ବାୟୋଲୋଜି ବିଭାଗର ମୁଖ୍ୟ ମାଇକେଲ ୱୋରୋବୀ କହିଛନ୍ତି ଯେ, ଏହି ଅଧ୍ୟୟନରେ ସ୍ପଷ୍ଟ ହୋଇଯାଇଛି ଯେ, ଆକାଉଣ୍ଟାଣ୍ଟ ପ୍ରଥମ ସଂକ୍ରମିତ ବ୍ୟକ୍ତି ନଥିଲେ। ବରଂ ଉହାନର ପଶୁ ବଜାରରେ କାମ କରୁଥିବା ମହିଳା ଜଣକ ପ୍ରଥମ କରୋନା ସଂକ୍ରମିତ ଥିଲେ। ଏହି ଅଧ୍ୟୟନ ନେଇ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ, ମାଇକେଲ୍‌ ବୋରୋବୀ ହେଉଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞ ପ୍ୟାନେଲର ଜଣେ ଅନ୍ୟତମ ସଦସ୍ୟ।