ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮ ଲକ୍ଷ ପାର : ୯୨ ହଜାର ମୃତ ଓ ସୁସ୍ଥହାର ୮୨ ପ୍ରତିଶତ

ନୂଆଦିଲ୍ଲୀ: ଦୁନିଆରେ ସର୍ବାଧିକ କରୋନା ସଂକ୍ରମଣ ଭାରତରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୫୨ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ୧୧୪୧ ଜଣଙ୍କର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨ରୁ ଦେଶରେ ଲଗାତାର ଭାବେ ହଜାରେରୁ ଉର୍ଦ୍ଧ ମୃତ୍ୟୁ ଘଟିଛି। ଅନ୍ୟପଟେ ଦିନକରେ ୮୧ହଜାର ୧୭୭ ଜଣ ସୁସ୍ଥ ହୋଇଛନ୍ତି। ଲଗାତାର ୬ ଦିନ ହେବ ଆକ୍ରାନ୍ତଙ୍କ ତୁଳନାରେ ସୁସହାର କମ୍ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ଲକ୍ଷ ୧୮ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୨ହଜାର ୯୯୦ ଜଣଙ୍କର ମୃତ୍ୟୁ ଘଟିଛି, ୪୭ଲକ୍ଷ ୫୬ ହଜାର ସୁସ୍ଥ ହୋଇଛନ୍ତି ଓ ୯ଲକ୍ଷ ୭୦ ହଜାର ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ମୃତ୍ୟୁହାର ଓ ସକ୍ରିୟ ସଂକ୍ରମଣ ହାର ଦିନକୁଦିନ କମିବାରେ ଲାଗିଛି। ମୃତ୍ୟୁହାର ୧.୫୮ ପ୍ରତିଶତକୁ ଖସିଥିବାବେଳେ ସକ୍ରିୟ ସଂକ୍ରମଣ ମଧ୍ୟ ଖସି ୧୭ ପ୍ରତିଶତ ହୋଇଯାଇଛି। ଏଥିସହିତ ସୁସ୍ଥହାର ୮୨ ପ୍ରତିଶତ ରହିଛି। ବିଶ୍ୱରେ କରୋନାରୁ ସୁସ୍ଥ ହୋଇଥିବା ମାମଲାରେ ଭାରତ ସବୁଠୁ ଆଗରେ ରହିଛି।