୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ନିର୍ବାଚନ : ନଭେମ୍ବର ୧୦ରେ ବାହାରିବ ରେଜଲ୍ଟ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ବିହାର ନିର୍ବାଚନ ତାରିଖ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବା ପରେ ଦେଶରେ ପ୍ରଥମଥର ପାଇଁ କୌଣସି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ବିହାରରେ ଏଥର ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୨୮, ନଭେମ୍ବର ୩, ଓ ନଭେମ୍ବର ୭ରେ ଭୋଟ ଗ୍ରହଣ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ। ପ୍ରଥମ ପର୍ଯ୍ୟାୟରେ ୭୧, ଦ୍ୱିତୀୟ ପର୍ଯ୍ୟାୟରେ ୯୪ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ସିଟରେ ନିର୍ବାଚନ ହେବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ସୂଚନା ଦେଇଛନ୍ତି। କରୋନା ସ୍ଥିତିରେ ନିର୍ବାଚନ କଷ୍ଟକର ହୋଇଥିବାବେଳେ ଆୟୋଗ ଦ୍ୱାରା କିଛି ଗାଇଡଲାଇନ ଜାରି କରାଯାଇଛି।

୨୪୩ ସିଟ୍ ବିଶିଷ୍ଟ ବିହାର ବଧାନସଭା ନିର୍ବାଚନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସକାଳ ୭ଟାରୁ ସଂଧ୍ୟ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ନାମାଙ୍କନ ପାଇଁ ପ୍ରାର୍ଥୀ ୨ରୁ ଅଧିକ ଗାଡ଼ି ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ ପ୍ରଚାର ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ। ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ଘର ଘର ବୁଲି ପ୍ରଚାର କରିପାରିବେ। କରୋନା ରୋଗୀ ଓ କ୍ୱାରେଣ୍ଟାଇନରେ ଥିବା ଲୋକେ ନିର୍ବାଚନ ଶେଷ ହେବାର ଘଣ୍ଟାଏ ପୂର୍ବରୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦେଖାଶୁଣାରେ ଭୋଟ ଦେବେ। ଗୋଟିଏ ପୁଲିଂ ବୁଥରେ ହଜାର ମତଦାତା ହିଁ ଭୋଟ ଦେଇପାରିବେ।

ସୂଚନାଯୋଗ୍ୟ, କରୋନା କାଳରେ ନିର୍ବାଚନକୁ ଦୃଷ୍ଟିରେ ରଖି ୬ଲକ୍ଷ ଫେସ୍ ସିଲ୍ଡ, ୭ଲକ୍ଷ ସାନିଟାଇଜର, ୪୬ ଲକ୍ଷ ମାସ୍କ ବ୍ୟବସ୍ଥା କରାଯାଇଛି।