ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା: ଦିନକରେ ୮୭ ହଜାର ଆକ୍ରାନ୍ତ ଓ ୯୩ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ ଏବେ ନୂଆ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ମୋଟ ସୁସ୍ଥ ମାମଲାରେ ଅନ୍ୟ ଦେଶକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନରେ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟାରେ ୮୬ ହଜାର ୯୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୧୩୦ ଜଣଙ୍କର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨ରୁ ଲଗାତର ଭାବେ ହଜାରେରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଛି। ଆଶ୍ୱସ୍ତିକର କଥାଟି ହେଲା, ଦିନକରେ ୯୩ ହଜାର ୩୫୬ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ଲକ୍ଷ ୮୭ ହଜାର ୫୮୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୭ ହଜାର ୮୮୨ ଜଣଙ୍କର ମୃତ୍ୟୁ ଘଟିଛି, ୪୩ଲକ୍ଷ ୯୬ ହଜାର ସୁସ୍ଥ ହୋଇଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ମାମଲା ୧୦ଲକ୍ଷ ୩ ହଜାର ରହିଛି।