ମୋଦୀଙ୍କୁ ସମାଧାନର ପ୍ରସ୍ତାବ ଦେଇଥିଲେ ଇମ୍ରାନ

କଲମ୍ବୋ, ଏଜେନ୍ସି: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଭାରତ ସହ ତାଙ୍କ ଦେଶର ସମ୍ପର୍କକୁ ନେଇ ନୂଆ ଖୁଲାସା କରିଛନ୍ତି। ବୁଧବାର ତାଙ୍କ ଗସ୍ତ ଶେଷ ହୋଇଥିବା ବେଳେ ଭାରତ ସହ ସମ୍ପର୍କକୁ ନେଇ ସେ କହିଛନ୍ତି, ‘ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇଥିିଲି ସେତେବେଳେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିବା ସହ ଦୁଇ ଦେଶ ମଧ୍ୟରେ ଯାହାସବୁ ପ୍ରସଙ୍ଗ ରହିଛି ସେଗୁଡିକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ କହିଥିିଲି, କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ଫଳପ୍ରଦ ହୋଇପାରିନାହିଁ। ତେବେ ଭବିଷ୍ୟତରେ ଏହି ପ୍ରସଙ୍ଗରେ ତାଙ୍କ ଚେଷ୍ଟା ସଫଳ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିିଲେ। ସେହିପରି ସେ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିଥିିଲେ। କଲମ୍ବୋରେ ଟ୍ରେଡ ଆଣ୍ଡ ଇନଭେଷ୍ଟମେଣ୍ଟ କନଫେରନ୍ସରେ ଇମ୍ରାନ କହିଥିିଲେ, ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଛି। କିନ୍ତୁ ସମୟ କ୍ରମେ ସେଥିିରେ ସୁଧାର ଆସିବା ସହ ଦୁଇ ଦେଶ ଆଜି ପରସ୍ପର ସହ ବାଣିଜ୍ୟିକ ସମ୍ପର୍କ ଆରମ୍ଭ କରିଛି। ଯାହା ଉଭୟ ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇଛି। ତେଣୁ ମୋର ମଧ୍ୟ ସ୍ୱପ୍ନ ରହିଛି ଯେ, ଉପମହାଦେଶ ମାନଙ୍କ ମଧ୍ୟରେ ମତଭେଦ ଏବଂ ବିବାଦ ବନ୍ଦ ହେଉ। କଶ୍ମୀର ବିବାଦରେ ଆମକୁ ଜାତିସଂଘ ସୁରକ୍ଷା ପରିଷଦର ପରାମର୍ଶ ଅନୁସାରେ ସମାଧାନ କରିବାକୁ ପଡ଼ିବ।

ଏଥିପାଇଁ କେବଳ କଥାବାର୍ତ୍ତା ହିଁ ଏକମାତ୍ର ମାଧ୍ୟମ। ସେହିପରି ପାକିସ୍ତାନର ଏଆରୱାଇ ଟିଭି ଚାନେଲ ଅନୁସାରେ, ଶ୍ରୀଲଙ୍କା ସରକାର ଇମ୍ରାନଙ୍କ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ତାଙ୍କର ତିନି ପ୍ରମୁଖ କାର୍ଯ୍ୟକ୍ରମକୁ ଗସ୍ତ ତାଲିକାରୁ ହଟାଇଦେଇଥିଲେ। ସେଥିମଧ୍ୟରେ ସଂସଦକୁ ସମ୍ବୋଧିତ କରିବା, ଦ୍ୱିତୀୟରେ ମୁସଲିମ ସାଂସଦଙ୍କ ସହ ସାକ୍ଷାତ ଏବଂ ତୃତୀୟରେ କ୍ରୀଡ଼ା କମ୍ପେ୍ଲକ୍ସ ଭ୍ରମଣ କରିବା। ଏହି ତିନିଟି ମଧ୍ୟରୁ ଶେଷ ଦୁଇଟିକୁ ସୁରକ୍ଷା ବାହାନାରେ ବନ୍ଦ କରାଯାଇଛି। ଅପରପକ୍ଷେ ପାକିସ୍ତାନର କିଛି ଗଣମାଧ୍ୟମ କହିଛି, ଶ୍ରୀଲଙ୍କା ଭାରତର ଚାପରେ ଇମ୍ରାନଙ୍କ ଗସ୍ତ ତାଲିକାରେ ପରିବର୍ତ୍ତନ କରିଛି। ଏଭଳି ଖବର ଶ୍ରୀଲଙ୍କା ମିଡିଆରେ ମଧ୍ୟ ପରିବେଷଣ ହୋଇଛି। କଲମ୍ବୋ ଗେଜେଟି ଗତ ସୋମବାର ତା’ର ସ୍ୱତନ୍ତ୍ର ଲେଖାରେ ଲେଖିଥିିଲା, କୋଭିଡ ସଂକ୍ରମଣ ବେଳେ ଭାରତ ଶ୍ରୀଲଙ୍କାକୁ ଅଧିକ ସାହାଯ୍ୟ କରିଥିଲା।