ଇସଲାମାବାଦରେ ଲଙ୍କାକାଣ୍ଡ କଲେ ଇମ୍ରାନ୍ ଖାନ୍‌ଙ୍କ ସମର୍ଥକ, ଜଳିଲା ମେଟ୍ରୋ ଷ୍ଟେସନ

ଇସଲାମାବାଦ,ଏଜେନ୍ସି: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଯାତ୍ରା ଇସଲାମାବଦାରେ ପହଞ୍ଚି ସାରିଛି। ସେ ରାଜଧାନୀରେ ପହଞ୍ଚିବା ପରେ ଅଗ୍ନିକାଣ୍ଡ ଦେଖାଯାଇଛି। ପିଟିଆଇ କର୍ମକର୍ତ୍ତା ସହରରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ କରିଛନ୍ତି । ସେମାନେ ଡିଭାଇଡରରେ ଲାଗିଥିବା ପତାକାଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ପୋଲିସ ସହିତ ମୁହାଁମୁହିଁ ସମୟରେ ପ୍ରଦର୍ଶନକାରୀମାନେ ଇସଲାମାବାଦରେ ଚାଇନା ଛକ ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ଏକ ଦଳ ବୁରହାନ ଇଣ୍ଟରଚେଞ୍ଜ ନିକଟରେ ଅଗ୍ନିକାଣ୍ଡ କରିଥିଲେ।

ପିଟିଆଇକୁ ମୁକାବିଲା କରିବା ପାଇଁ ରାଜଧାନୀ ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଲାଠିଚାର୍ଜ କରାଯାଇଛି। ଏଥି ସହିତ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ସରକାର ଇସଲାମାବାଦରେ ରେଡ ଜୋନର ସୁରକ୍ଷା ପାଇଁ ସେନାକୁ ଡାକିଛି। ପାକିସ୍ତାନ ସରକାରଙ୍କ ବିଭିନ୍ନ ବିଭାଗ, ନ୍ୟାୟପାଳିକା ଓ ବିଧାୟିକା କୋଠା ରହିଛି, ତାକୁ ରେଡ ଜୋନ କୁହାଯାଇଥାଏ।