କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ଲଗାତାର ବୋମା ବିସ୍ଫୋରଣ ହେଉଛି। ବୁଧବାର ଭିନ୍ନ ଭିନ୍ନ ସ୍ଥାନରେ ବିସ୍ଫୋରଣ ହେବା କାରଣରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ କାବୁଲସ୍ଥିତ ଏକ ମସଜିଦ ମଧ୍ୟ ସାମିଲ ରହିଛି। ମସଜିଦ ଭିତରେ ବୋମା ବିସ୍ଫୋରଣ ହେବାରୁ ଅତିକମରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଉତ୍ତର ଅଞ୍ଚଳରେ ଚଳନ୍ତା ବସ୍କୁ ଟାର୍ଗେଟ କରାଯାଇଛି। ଆତଙ୍କବାଦୀମାନେ ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି।
ତାଲିବାନ ପୋଲିସ ମୁଖପାତ୍ର ଖାଲିଦ ଜାଦରାନଙ୍କ କହିବା ଅନୁସାରେ କାବୁଲ ଜରୁରୀକାଳୀନ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ମସଜିଦରେ ବିସ୍ଫୋରଣର ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ସହରର କେନ୍ଦ୍ରୀୟ ପୋଲିସ ଜିଲ୍ଲା-୪ସ୍ଥିତ ହଜରତ ଜକାରିୟା ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା। ନମାଜ ପାଠ ପାଇଁ ମସଜିଦ ଭିତରେ ଲୋକେ ଥିଲେ।
ସେହିପରି ବଲଖ ରାଜ୍ୟରେ ତାଲିବାନ ପକ୍ଷରୁ ନିଯୁକ୍ତ ମୁଖପାତ୍ର ମହମ୍ମଦ ଆସିଫ ବଜୀରୀ କହିଛନ୍ତି ଯେ, ଏକ ମିନିବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ମଜାର-ଏ-ଶରୀଫର ସମସ୍ତ ପୀଡିତ ଦେଶର ସଂଖ୍ୟାଲଘୁ ଶିୟା ମୁସଲମାନ ଥିଲେ।