ପାଠପଢ଼ା ଦେଖି ବିଗିଡ଼ିଗଲେ ମନ୍ତ୍ରୀ: ପ୍ରଧାନଶିକ୍ଷକଙ୍କୁ ବଦଳି, ସିଆରସିସିଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ରାୟଗଡ଼ା,ଏନ୍ଏନ୍ଏସ୍: ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ବିଗିଡ଼ିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଆଜି ମଧ୍ୟାହ୍ନରେ କେରାପୁଟରୁ ସଡ଼କ ଯୋଗେ ରାୟଗଡ଼ ଆସିବା ବାଟରେ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଗୁମ୍ମା ପଚାଂୟତର ଉଦୟପୁର ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ଅଧ୍ୟୟନରତ ପଚଂମ ଶ୍ରେଣୀ ଛାତ୍ରୀଙ୍କୁ ତିନିକ ପଣକିଆ ପଚାରିଥିଲେ । ଗୋଟିଏ ମଧ୍ୟ ଛାତ୍ରୀ ପଣକିଆ କହିପାରିନଥିଲେ । ମନ୍ତ୍ରୀ ବିରକ୍ତ ହୋଇ ଖବର ନେବାବେଳେ ସେହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ମହେନ୍ଦ୍ର ବିବର କାର୍ଯ୍ୟ କରୁଥିବାବେଳେ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ ସମ୍ପୁର୍ଣ୍ଣ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ତାଙ୍କୁ ସେଠାରୁ ତୁରନ୍ତ ଦୁର୍ଗମ ଅଚଂଳକୁ ବଦଳି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ନାକିଟି ସିଆରସିସି ଏଥିପ୍ରତି ନଜର ଦେଇନଥିବାରୁ ତାଙ୍କ ଦରମା ବନ୍ଦ ରଖିବା ସହ କାରଣ ଦର୍ଶାଅ ନୋଟିସ ଏବଂ ରାୟଗଡ଼ା ଏବିଇଓଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରିବା ପାଇ ସେ ଡ଼ିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ରାୟଗଡ଼ା ସହର ମଧ୍ୟରେ ଥିବା ଫରେଷ୍ଟ କଲୋନିରେ ଯାଇ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ସମୟରେ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଯେ ରାୟଗଡ଼ା ଜିଲ୍ଲାରେ ୧୦ଟି ଛାତ୍ରରୁ କମ୍ ଥିବା ୧୬୯ ସ୍କୁଲ ବନ୍ଦ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଭୌଗୋଳିକ ସ୍ଥିତି ଅନୁଯାୟୀ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହାକୁ ଘଟାଇ ବର୍ତ୍ତମାନ ମାତ୍ର ୭୪ଟି ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ପ୍ରଥମଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ପରୀକ୍ଷା କରିବା ପାଇଁ ସରକାର ଯୋଜନା କରିଛନ୍ତି। ତେଣୁ କେଉଁଠି କେଉଁଠି ଟିକିଏ ତ୍ରୁଟି ବିଚ୍ୟୁତି ରହିଛି। ତାକୁ ଆଗାମୀ ଦିନରେ ସଜଡ଼ା ଯିବ। କିଛି ଜାଗାରେ ସ୍ଥାନୀୟ ଭାଷାରେ ପ୍ରଶ୍ନପତ୍ର ଅଭାବ ଯୋଗୁଁ ବ୍ଲାକବୋର୍ଡ଼ରେ ପ୍ରଶ୍ନ ଲେଖାକୁ ସ୍ୱୀକାର କରିଥିଲେ । ପ୍ରଥମ ବର୍ଷ ପ୍ରଶ୍ନପତ୍ର ପହଞ୍ଚିବାରେ ଟିକିଏ ଅସୁବିଧା ଯୋଗୁଁ ଏଭଳି ହୋଇଥିବା ସେ କହିଛନ୍ତି। ରାଜ୍ୟରେ ସିଆରସିସି ପଦ ଉଛେଦ ହେବନି ବରଂ ଏହି ପଦକୁ ଅଧିକ କ୍ରିୟାଶିଳ କରାଯିବ।

ପ୍ରତ୍ୟେକ ସିଆରସିସି ସ୍କୁଲକୁ ଯାଇ ବାହ୍ୟ ଚିକଣଚାକଣ ଦେଖି ଆସୁଛନ୍ତି , ପିଲାଙ୍କ ପଢ଼ାର ତଦାରଖ କରୁନାହାଁନ୍ତି । ତେଣୁ ଆଗାମୀ ଦିନରେ ସିଆରସିସିମାନେ ୮ ଘଣ୍ଟା ପାଠ ପଢ଼ାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ସବୁଠାରୁ ବଡ଼ କଥା ରାଜ୍ୟରେ ବର୍ତ୍ତମାନ ସୁଧା ଶିକ୍ଷକଙ୍କୁ ନେଇ ଜାତୀୟକରଣ କରାଯାଇନି। କେଉଁ ସ୍କୁଲରେ ମାତ୍ରଧିକ ଶିକ୍ଷକ ଅଛନ୍ତି ତ ପୁଣି କେଉଁ ସ୍କୁଲରେ ଶିକ୍ଷକ ଅଭାବ ରହିଛି । ଆଗାମୀ ଦିନରେ ସରକାର ଏହାକୁ ଗୁରୁତ୍ୱ ସହ ନେଇ ସମସ୍ତ ସ୍କୁଲରେ ଯେଭଳି ସମ ପରିମାଣରେ ଶିକ୍ଷକ ରହିବେ ତାର ଯୋଜନା କରାଯାଉଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ।