ଡାକ୍ତରଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଇଏମଏର ଚିଠି

ନୂଆଦିଲ୍ଲୀ,ଏଜେନ୍ସି: ଡାକ୍ତରଙ୍କ ସୁରକ୍ଷାକୁ ନେଇ ସିଧା ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ (ଆଇଏମଏ)। ଡାକ୍ତରମାନେ ଯେପରି ବିନା ବାଧା ଓ ନିର୍ଭୟରେ କାମ କରିବେ ସେ ନେଇ ପ୍ରଧାନମନ୍ତ୍ରୀ ନିଜେ ଧ୍ୟାନ ଦେବାକୁ ଆଇଏମଏ ଚିଠିରେ ଉଲ୍ଲେଖ କରିଛି।

ଏଥିସହ ଚିଠିରେ ୫ ଦଫା ଦାବି ଉଲ୍ଲେଖ କରାଯାଇଛି। ଟିକା ବାବଦରେ ଭୁଲ ତଥ୍ୟ ପ୍ରଦାନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମହାମାରୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଦଣ୍ଡିତ କରାଯାଉ। ସେହିପରି କାର୍ଯ୍ୟରତ ଡାକ୍ତର କିମ୍ବା ମେଡ଼ିକାଲ କର୍ମଚାରୀଙ୍କୁ ଆକ୍ରମଣ କଲେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ସହ ମାମଲାର ତୁରନ୍ତ ଫଇସାଲା କରାଯାଉ।

ଯେଉଁ ଡାକ୍ତରମାନେ କୋଭିଡ ଚିକିତ୍ସାରେ ମୁତୟନ ଅଛନ୍ତି, ସେମାନେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ତାଙ୍କୁ ସହିଦ ମାନ୍ୟତା ପ୍ରଦାନ ସହିତ ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସରଳ କରିବାକୁ ଦାବି କରିଛି ଆଇଏମଏ। ଏଥିସହ ଆସନ୍ତା ୧୮ ତାରିଖରେ ଆଇଏମଏ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ପ୍ରୋଟେଷ୍ଟ ଡେ ପାଳନ କରିବ ବୋଲି ଚିଠିରେ ଉଲ୍ଲେଖ କରିଛି।