ନୂଆଦିଲ୍ଲୀ,ଏଜେନ୍ସି: ଯୋଗଗୁରୁ ବାବା ରାମଦେବ ଏଲୋପାଥିକ୍ ଔଷଧ ବିରୋଧରେ ଅପପ୍ରଚାର କରୁଛନ୍ତି ବୋଲି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍ଏ) ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛି। ଆଇଏମ୍ଏ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି, ରାମଦେବ ଏଲୋପାଥିକ୍କୁ ଏକ ଅଜବ ବିଜ୍ଞାନ ବୋଲି ତାଚ୍ଛଲ୍ୟ କରି କହିଛନ୍ତି। ଏହି ଔଷଧ ଖାଇ ଲକ୍ଷ ଲକ୍ଷ ଲୋକ ମଲେଣି।
ଭାରତର ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଅନୁମୋଦନ କରିଥିବା ରେମ୍ଡେସିଭିର୍, ଫାବିଫ୍ଲୁ ଓ ଅନ୍ୟ ଔଷଧଗୁଡ଼ିକ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଫଳପ୍ରଦ ହେଉନାହିଁ। ରାମଦେବଙ୍କ ଏଭଳି ମନ୍ତବ୍ୟରେ ଆଇଏମ୍ଏ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଇଏମ୍ଏ ପକ୍ଷରୁ କୁହାଯାଇଛି, ରାମଦେବଙ୍କ ଏଭଳି ଅପପ୍ରଚାର ଯୋଗୁଁ ସଭ୍ୟ ସମାଜ ଏବଂ ଗରିବ ଜନସାଧାରଣ ଏହି ବିଭ୍ରାନ୍ତିର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ରାମଦେବ ପରିସ୍ଥିତିରୁ ଫାଇଦା ଉଠାଇବାକୁ ଉଦ୍ୟମ କରିବା ସହ ଲୋକଙ୍କ ମନରେ ଭୟ ତଥା ବିତୃଷ୍ଣା ସୃଷ୍ଟି କରୁଛନ୍ତି।
ଏଭଳି ଅଜ୍ଞତାମୂଳକ ବୟାନ ଦିଆଯିବା ଦ୍ୱାରା ଜନସାଧାରଣ ବିଭ୍ରାନ୍ତ ହେଉଥିବାରୁ ବାବା ରାମଦେବଙ୍କ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି।