ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ

ପାଣାଜୀ,ଏଜେନ୍ସି: ଗୋଆର ରାଜଧାନୀ ପାଣାଜୀ ନିକଟ ଶ୍ୟାମାପ୍ରସାଦ ଷ୍ଟାଡିୟମରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୧ତମ ସଂସ୍କରଣ ଆଜି ଉଦଘାଟିତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡେକର, ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ମୁଖ୍ୟ ଅତିଥି ପ୍ରସିଦ୍ଧ କନ୍ନଡ ଅଭିନେତା ସୁଦୀପ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ଏଥିରେ ଜାଭଡେକର ଉଦ୍‌ବୋଧନ ଦେଇ କହିଛନ୍ତି କି, ପ୍ରତ୍ୟେକ ବ୍ୟକ୍ତିର ମନୋରଞ୍ଜନ ଆବଶ୍ୟକ। ଏହା ଜୀବନକୁ ସରସସୁନ୍ଦର କରିଥାଏ। ଭାରତ ଓ ବାଂଲାଦେଶ ମିଳିତ ଭାବେ ବାଂଲାବନ୍ଧୁ ନାମରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଭାରତୀୟମାନେ ଖୁବ୍ କାହାଣୀପ୍ରୀୟ ହୋଇଥିବାରୁ ଭଲ କାହାଣୀ ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ରକୁ ଭାରତୀୟ ଦର୍ଶକମାନେ ବେଶି ପସନ୍ଦ କରନ୍ତି।

ଏହି ଅବସରରେ ମନ୍ତ୍ରୀ ଜାଭଡେକର ଫିଲ୍ମ ବଜାର ଇଣ୍ଡିଆର ୧୪ତମ ସଂସ୍କରଣକୁ ଉଦଘାଟନ କରିଥିଲେ ଏବଂ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଚଳିତ ବର୍ଷର ଭାରତୀୟ ସିନେ ବ୍ୟକ୍ତିତ୍ୱ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ ସର୍ବଦା ଉଜ୍ଜ୍ୱଳ ବୋଲି ଜାଭଡେକର କହିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି କି, ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତାମାନେ ଗୋଆକୁ ଆସି ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହୀ ଗୋଆର ଯୁବକମାନଙ୍କୁ ଦିଗଦର୍ଶନ ଦିଅନ୍ତୁ। ଏହି ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଦେଶବିଦେଶର ୨୨୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।