ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ; ୮୮ ମୃତ, ବହୁ ଆହତ

ଆବୁଜା,ଏଜେନ୍ସି: ନାଇଜେରିଆରେ ବନ୍ଧୁକଧାରୀଙ୍କ ଆତଙ୍କ। ଦେଶର ଉତ୍ତର-ପଶ୍ଚିମ ରାଜ୍ୟ କେବିଠାରେ ବଡ ଧରଣର ଆକ୍ରମଣ କରିଛନ୍ତି ବନ୍ଧୁକଧାରୀ। ଦୁର୍ବୃତ୍ତଙ୍କ ଗୁଳିରେ ୮୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ। ଶନିବାର ଏନେଇ ପୋଲିସ ଅଧିକାରୀ ସୁନିଶ୍ଚିତ କରିଛନ୍ତି।

ଏହି ବନ୍ଧୁକଧାରୀମାନେ ଗୁରୁବାର ଡାଙ୍କୋ-ୱାସାଗୁ ଅନ୍ତର୍ଗତ ସରକାରୀ ଅଞ୍ଚଳରେ ବସବାସ କରୁଥିବା ୮ଟି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଛନ୍ତି। ପ୍ରଦେଶ ପୁଲିସ ମୁଖପାତ୍ର ନାଫିଉ ଆବୁବାକର ରାଜ୍ୟ ରାଜଧାନୀ ବିର୍ନିନ କେବିରେ ଗଣମାଧ୍ୟମକୁ ଜଣାଇଛନ୍ତି। ବନ୍ଧୁକଧାରୀଙ୍କ ଗୁଳିମାଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରଥମେ ୬୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଆଉ ୨୨ ଟି ମୃତଦେହ ଉଦ୍ଧାର କରାଯାଇଛି। ପୁନର୍ବାର ଆକ୍ରମଣକୁ ରୋକିବା ପାଇଁ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ଆବୁବାକର କହିଛନ୍ତି। ସୂଚନାଥାଉ କି, ଗତ ଏପ୍ରିଲ ମାସରେ କେବିଠାରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଜାବବ ଦେବାକୁ ଯାଇ ୯ ଜଣ ପୋଲିସ କର୍ମଚାରୀ ଏବଂ ସାଧାରଣ ନାଗରିକ ପ୍ରତିରକ୍ଷା ଗୋଷ୍ଠୀର ଦୁଇ ଜଣ ପ୍ରାଣ ହରାଇଥିଲେ।