ଦେବଗଡ଼ ଆଦର୍ଶ ଥାନାରେ ହେଲା ଆଦର୍ଶ ବିବାହ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କଂଢଳ ଗ୍ରାମର ଦୁଇ ପ୍ରେମିକ ପ୍ରେମିକାଙ୍କ ନିରାଡ଼ମ୍ବର ଭାବେ ଦେବଗଡ଼ ଥାନାରେ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଂଢଳ ଗ୍ରାମର ଘନଶ୍ୟାମ ସୁହୁଳାଙ୍କ ପୁଅ ଦୈତାରୀ ସୁହୁଳା ଓ ସେହି ଗ୍ରାମର ବିଦେଶୀ ରଣଙ୍କ ଝିଅ ସନ୍ଧ୍ୟାରାଣୀ ରଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଆସନ୍ତା ଫେବୃଆରୀ ୫ ତାରିଖ ଦିନ ଝିଅ ଘର ପରିବାର ଝିଅର ବିବାହ ଅନ୍ୟତ୍ର କରିବାକୁ ଧାର୍ଯ୍ୟ କରିଥିବା ବେଳେ ପ୍ରେମିକାକୁ ନେଇ ପ୍ରେମିକ ଦୈତାରୀ ଫେରାର ହୋଇଯାଇଥିଲା।

ଝିଅ ଘର ପରିବାର ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟଙ୍କୁ ଠାବ କରି ଥାନାକୁ ଆଣିଥିଲା। ତେବେ ଉଭୟ ପ୍ରେମିକ ପ୍ରେମିକା ସାବାଳକ ଥିବା ଏବଂ ଉଭୟ ଉଭୟଙ୍କୁ ବିବାହ ପାଇଁ ଜିଦ କରିବାରୁ ଉଭୟ ପରିବାର ଲୋକେ ଆପୋଷ ଆଲୋଚନା ପରେ ଉଭୟଙ୍କ ବିବାହ ପାଇଁ ରାଜି ହୋଇଥିଲେ।

ଆଲୋଚନା ଅନୁଯାୟୀ ଆଜି ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମିକ ଦୈତାରୀ ପ୍ରେମିକା ସନ୍ଧ୍ୟାରାଣୀ ମଥାରେ ସିନ୍ଦୁର ଦେବାସହ ପ୍ରଥମେ ମନ୍ଦିର ଓ ପରେ ନୋଟାରୀ ନିକଟରେ ସତ୍ୟପାଠ ପରେ ଥାନରେ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ କମ୍ୟୁନିଟି ପୁଲିସ ଅଧିକାରୀ ଦିବ୍ୟ ଓରାମଙ୍କ ଉପସ୍ଥିତିରେ ଉଭୟ ଉଭୟେଙ୍କୁ ମାଳ ପିନ୍ଧାଇ ପରସ୍ପରକୁ ଆପଣାଇଥିଲେ।