ଦିଲ୍ଲୀରେ ଆଇସିୟୁ ବେଡ୍, ଅକ୍ସିଜେନ ସିଲିଣ୍ଡର ଓ ରେମଡେସିଭିର ମେଡ଼ିସିନର ଅଭାବ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ବେଳେ ହସ୍ପିଟାଲରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଛି। ହସ୍ପିଟାଲମାନଙ୍କରେ ଆଇସିୟୁ ବେଡ଼୍ ଅଭାବ ଦେଖାଦେଇଥିବାବେଳେ ଅକ୍ସିଜେନ ସିଲିଣ୍ଡର ଓ ରେମଡେସିଭିର ମେଡ଼ିସିନର ମଧ୍ୟ ଅଭାବ ଦେଖା ଦେଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୪ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହା ପୂର୍ବରୁ ୧୯ ହଜାର କରୋନା କେସ୍ ରେକର୍ଡ ହୋଇଥିଲା। ତେବେ ଦ୍ରୁତ ଗତିରେ କୋଭିଡ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି।

ଏଥିସହିତ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲ ମାନଙ୍କରେ ସାଧାରଣ ବେଡ଼୍ରେ ମଧ୍ୟ ଅଭାବ ଦେଖାଦେଇଛି। ଏହି ମଧ୍ୟରେ କେଜ୍ରିୱାଲ କହିଛନ୍ତି କି ଖୁବ୍ ଶୀଘ୍ର ଦିଲ୍ଲୀରେ ୬ ହଜାର ଅକ୍ସିଜେନ ଯୁକ୍ତ ବେଡ଼୍ ବ୍ୟବସ୍ଥା ହେବ। ସେଥିରୁ ପାଖାପାଖି ୧୩ ଶହ ବେଡ଼୍ ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସରେ ହେବ। ସେହିପରି ହସ୍ପିଟାଲ ଲିଙ୍କରେ ଥିବା ହୋଟେଲ ଓ ବାଙ୍କୱେଟରେ ୨୧ ଶହ ଅକ୍ସିଜେନ୍ ଯୁକ୍ତ ବେଡ଼ର ବ୍ୟବସ୍ଥା କରାଯିବ।