ହାଇଦ୍ରାବାଦ,ଏଜେନ୍ସି: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ଶକ୍ତିଶାଳୀ ଇଂଲଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ବିଜୟ ଧାରା ଜାରି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । କ୍ରମାଗତ ଭାବେ ୨ଟି ମ୍ୟାଚ ଖେଳି ଭାରତ ଦମଦାର ପ୍ରଦର୍ଶନ କରିଥିବା ବେଳେ ତୃତୀୟ ମ୍ୟାଚରେ ଇଂଲଣ୍ଡକୁ ହରାଇ ହ୍ୟାଟ୍ରିକ ବିଜୟ ହାସଲ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚ ପାକିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ଏହି ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ତୃତୀୟ ମ୍ୟାଚ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି ।
ଟିମ ବି ପଏଣ୍ଟ ଟେବୁଲରେ ଭାରତ ଏବେ ୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଉଭୟ ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ୨ଲେଖାଏଁ ମ୍ୟାଚ ଖେଳି ସମାନ ପଏଣ୍ଟ ହାସଲ କରିଛନ୍ତି । ଏହି ଦୁଇ ଦଳ ମଧ୍ୟରେ ଆଜିର ମ୍ୟାଚ କାହା ସପକ୍ଷରେ ଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଏଥିସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ସେମିଫାନାଲରେ ତାର ସ୍ଥାନ ପକ୍କା ହେବ । ତେଣୁ ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ବରେ ଭାରତ ବିଜୟୀ ହୋଇ ସେମିକୁ ଯିବାର ଲକ୍ଷ୍ୟ ରଖିଛି ।
ଫେବୃଆରୀ ୧୨ ତାରିଖରେ ପାକିସ୍ତାନ ସହ ପ୍ରଥମ ମ୍ୟାଚ ଖେଳିଥିଲା ଭାରତ । ପାକିସ୍ତାନକୁ ୭ ୱିକେଟ୍ରେ ହରାଇଥିଲା ଭାରତ । ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ । ୪ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ ମହିଳା ଦଳ । ଏହାପରେ ୧୫୦ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଭାରତୀୟ ମହିଳା ଦଳ । ଜେମିମା ରୋଡ୍ରିଗ୍ସ ଅପରାଜିତ ୫୩ ରନ୍ ସଂଗ୍ରହ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ସହ ଭାରତର ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ମଧ୍ୟ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ୬ ୱିକେଟରେ ବିଜୟ ଲାଭ କରିଥିଲା । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହା ସହ ପ୍ରଥମ ଭାରତୀୟ ଭାବେ ଦିପ୍ତୀ ଶର୍ମା ୧୦୦ ୱିକେଟ ହାସଲ କରିଥିଲେ ।
ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଙ୍ଗ କରିଥିବା ବେଳେ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓଭର ଶେଷ ସୁଦ୍ଧା ୬ ୱିକେଟ ହରାଇ ୧୧୮ ରନ କରିଥିଲା ଇଣ୍ଡିଜ । ଏହା ପରେ ଭାରତ ୧୧୯ ରନ ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା । ଶେଷରେ ୪ ଓ୍ବିକେଟ ହରାଇ ୧୧୯ରେ ବିଜୟୀ ହୋଇଥିଲା ଭାରତ । ସାଉଥ୍ ଆଫ୍ରିକାର କେପଟାଉନରେ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି ।