ଦୁବାଇ,ଏଜେନ୍ସି: ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଟି-୨୦ ର୍ୟାଙ୍କିଙ୍ଗ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ୩ ନମ୍ବରରେ ସ୍ଥିର ଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ୭ମ ସ୍ଥାନକୁ ଉଠିଛନ୍ତି। ଖେଳାଳି ତାଲିକାର ଶୀର୍ଷ ୧୦ରେ ଭାରତୀୟଙ୍କ ମଧ୍ୟରେ କେବଳ ରାହୁଲ ଓ କୋହଲି ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ରାହୁଲ ୮୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ୯୧୫ ପଏଣ୍ଟରେ ଇଂଲଣ୍ଡର ଡାୱିଡ୍ ମଲାନ୍ ପ୍ରଥମ ଏବଂ ୮୨୦ ପଏଣ୍ଟରେ ପାକିସ୍ତାନର ବାବର ଆଜମ୍ ଦ୍ୱିତୀୟରେ ଅଛନ୍ତି। ସେହିପରି କୋହଲିଙ୍କ ୬୯୭ ପଏଣ୍ଟ ରହିଛି।
ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ଭାରତ ୨-୧ ରେ ଜିତିନେଇଥିଲା। ଏହି ସିରିଜରେ କୋହଲି ୩ଟି ଇନିଂସରେ ୧୩୪ ଓ ରାହୁଲ ୩ଟି ଇନିଂସରେ ୮୧ ରନ କରିଥିଲେ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଓପନର ଟିମ ସେଇଫର୍ଟ ଓ ବୋଲର ଟିମ ସାଉଦି ଆଇସିସି ଟି-୨୦ ମାନ୍ୟତାରେ ଦ୍ରୁତ ଗତିରେ ଉନ୍ନତି ଲାଭ କରିଛନ୍ତି। ସେଇଫର୍ଟ ଏକାଥରକେ ୨୪ଟି ପାହାଚ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ବିପକ୍ଷ ସିରିଜରେ ସେଉଫର୍ଟ ୧୭୬ ରନ କରିଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷ ସିରିଜରେ ୬ଟି ୱିକେଟ ନେଇ ସାଉଦି ଆଇସିସି ଟି-୨୦ ମାନ୍ୟତାର ୧୩ତମ ସ୍ଥାନରୁ ୭ମ ସ୍ଥାନରେ ପହଞ୍ଚିଛନ୍ତି। ଉଭୟ ଖେଳାଳିଙ୍କ କ୍ୟାରିୟରରେ ଏହା ହେଉଛି ଶ୍ରେଷ୍ଠ ଆଇସିସି ମାନ୍ୟତା। ବୋଲିଂ ତାଲିକାରେ ଆଫଗାନିସ୍ତାନର ରସିଦ ଖାଁ ପ୍ରଥମ ସ୍ଥାନରେ ଅଛନ୍ତି। ତେବେ ବୋଲିଂ ତାଲିକାର ପ୍ରଥମ ୧୦ଟି ସ୍ଥାନରେ କୌଣସି ଭାରତୀୟ ବୋଲର ନାହାନ୍ତି।