ଡିଆର୍‌ଏସ୍‌ରେ ପରିବର୍ତ୍ତନକୁ ଆଇସିସିର ମଞ୍ଜୁରି, ବଜାୟ ରହିବ ଅମ୍ପାୟାର୍ସ କଲ୍‌

ଦୁବାଇ,ଏଜେନ୍ସି: ପୂର୍ବତନ ଭାରତୀୟ ଅଧିନାୟକ ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି କ୍ରିକେଟ୍ କମିଟି ଡିଆର୍‌ଏସ୍‌ରେ ଅମ୍ପାୟାର୍ସ କଲ୍ ବଜାୟ ରହିବ ବୋଲି ଗୁରୁବାର ସ୍ପଷ୍ଟ କରିଛି। ଗୁରୁବାର ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, ଏଲ୍‌ବିଡବ୍ଲ୍ୟୁ ରିଭ୍ୟୁରେ ୱିକେଟ୍ ଜୋନ୍‌ର ଉଚ୍ଚତାକୁ ଷ୍ଟମ୍ପ୍‌ସ୍‌ର ଶୀର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ୍ ଏବେ ରିଭ୍ୟୁ ନେବାବେଳେ ଷ୍ଟମ୍ପ୍‌ସର ଉପର ପର୍ଯ୍ୟନ୍ତ ଉଚ୍ଚତାକୁ ଗୁରୁତ୍ୱ ପ୍ରଦାନ କରାଯିବ। ପୂର୍ବରୁ ବେଲ୍ ନିମ୍ନ ଭାଗ ପର୍ଯ୍ୟନ୍ତ ଉଚ୍ଚତା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଏହା ଫଳରେ ଏବେ ୱିକେଟ୍ ଜୋନ୍‌ର ଉଚ୍ଚତାରେ ବୃଦ୍ଧି ଘଟିବ।

ସେହିପରି ଏଲ୍‌ବିଡବ୍ଲ୍ୟୁ ଆଉଟ୍ ସମୀକ୍ଷା ଉପରେ ନିର୍ଣ୍ଣୟ ନେବା ପୂର୍ବରୁ ବଲ୍‌କୁ ଖେଳିବାକୁ ବାସ୍ତବରେ ଉଦ୍ୟମ କରାଯାଇଥିଲା କି ନାହିଁ ସେ ସମ୍ପର୍କରେ ଖେଳାଳି ଅମ୍ପାୟାର୍‌କୁ ପଚାରିପାରିବେ। ଅନ୍ୟପକ୍ଷରେ ସର୍ଟ ରନ୍ କ୍ଷେତ୍ରରେ ୩ୟ ଅମ୍ପାୟାର ରିପ୍ଲେରେ ଏହାର ସମୀକ୍ଷା କରିପାରିବେ ଏବଂ କୌଣସି ତ୍ରୁଟି ଥିଲେ ପରବର୍ତ୍ତୀ ବଲ୍ ପକାଯିବା ପୂର୍ବରୁ ଏଥିରେ ସୁଧାର କରିପାରିବେ।

ଅମ୍ପାୟାର୍ସ କଲ୍‌ରେ ଦ୍ୱନ୍ଦ୍ୱ ଉପୁଜୁଥିବା ନେଇ ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଆପତ୍ତି ଉଠାଇଥିଲେ। ବର୍ତ୍ତମାନର ନିୟମ ଅନୁସାରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କ୍ଷେତ୍ରରେ ୩ଟି ଷ୍ଟମ୍ପ୍‌ସ ମଧ୍ୟରୁ ଗୋଟିକରେ ବଲ୍‌ର ୫୦ ପ୍ରତିଶତ ବାଜିବା ଆବଶ୍ୟକ। ସେହିପରି ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ କରିବା ନିମନ୍ତେ ୨୦୨୦ରେ ଜାରି କୋଭିଡ୍‌-୧୯ ନିୟମ ବଳବତ୍ତର ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଗତ ୯ ମାସ ଧରି ଘରୋଇ ଅମ୍ପାୟାର୍‌ଙ୍କ ଆକର୍ଷଣୀୟ ପ୍ରଦର୍ଶନକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଏବଂ ପରିସ୍ଥିତିକୁ ନେଇ ଯେଉଁଠି ସମ୍ଭବ ନିରପେକ୍ଷ ଅମ୍ପାୟାର୍‌ଙ୍କୁ ନିଯୁକ୍ତ କରାଯାଇଛି।