ଅଲଗା ହେବେ ଆଇଏଏସ୍ ଟୀନା ଡାବୀ ଓ ଅତହର ଆମିର

ନୂଆଦିଲ୍ଲୀ: ୨୦୧୬ରେ ସିଭିଲ ସେବାରେ ଟପ୍ କରି ଲୋକଲୋଚନକୁ ଆସିଥିବା ରାଜସ୍ଥାନ କାଡରର ଦୁଇ ଆଇଏଏସ୍ ଅଫିସର ଟୀନା ଡାବୀ ଓ ଅତହର ଆମିର ଅଲ ସଫୀ ଖାନ୍ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟୀନା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଜମ୍ମୁ-କଶ୍ମୀରର ଅତହର ଦ୍ୱିତୀୟ ସ୍ଥାନରେ ରହିଥିଲେ। ଉଭୟଙ୍କୁ ରାଜସ୍ଥାନ କାଡର ମିଳିଥିଲା ଏବଂ ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ଏବେ ଏହି ଦୁଇ ଯୁବା ଆଇଏଏସ୍ ଅଫିସର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଏଥର ଚର୍ଚ୍ଚା ତାଙ୍କ ବିବାହ ବିଚ୍ଛେଦକୁ ନେଇ ହେଉଛି।

ମିଳିଥିବା ରିପୋର୍ଟ ମୁତାବକ, ଟୀନା ଓ ଅତହର ଏବେ ସାଥୀରେ ରହିବାକୁ ଚାହୁଁ ନାହାନ୍ତି। ଦୁହିଁଙ୍କ ବିଚାରଧାରା ମିଶୁନଥିବାରୁ ଆପୋଷ ବୁଝାମଣାରେ ଜୟପୁର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ପାଖାପାଖି ବର୍ଷେ ହେବ ଲାଗି ରହିଥିଲା। ସେତେବେଳେ ଦୁହିଁଙ୍କ ପୋଷ୍ଟିଂ ରାଜସ୍ଥାନର ଭିଲବାଡ଼ା ଜିଲ୍ଲାରେ ହୋଇଥିଲା। ଟୀନା ଓ ଅତହର ଏବେ ଜୟପୁରରେ ନିଯୁକ୍ତ ଅଛନ୍ତି।