ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ, ଆକାଶମାର୍ଗରୁ ବୀରତ୍ବ ଦେଖାଇଲେ ବାୟୁବୀର

ଭୁବନେଶ୍ବର,ଏନ୍ଏନ୍ଏସ୍: ନବ କରିଣର ରଥ ସଜେଇ ହୋଇଛି… ଫୁଲରେ ପଥ ସଜେଇ ହୋଇଛି ବାଦଲର ଅନୁଚର ସୁନାର ପୋଷାକ ପିନ୍ଧିଛନ୍ତି… ଆସୁଛି ରବି କି ସବାରୀ ଆସୁଛି ରବି କି ସବାରୀ ଏହି ପକ୍ତିଂରୁ ଆରମ୍ଭ ହୋଇଥିଲା ସୂର୍ଯ୍ୟକିରଣ ଏରୋବାଟିକ ଏୟାର ସୋ’ । ନୀଳ ଆକାଶରେ ଛାଇ ଯାଇଥିଲେ 9ଟି ଲଢୁଆ ହକ ବିମାନ । କେତେବେଳେ ଆଗକୁ ତ ପୁଣି କେତେବେଳେ ପଛକୁ ତ ପୁଣି ଆଉ କେତେବେଳେ ତଳକୁ । ଗୋଲ ହୋଇ ବୁଲିଲେ ପୁଣି ପରସ୍ପର ଛନ୍ଦି ହେଲେ ତ ପୁଣି ଘୁରିଲେ । ପୁଣି ଡାହାଣକୁ ଯାଉଥାନ୍ତି ତ ପୁଣି ବାମକୁ । ବାଦଲ ଭିତରେ ଲୁଚି ଯାଉ ଥାଏ ତ ପୁଣି ବାଦଲ ଚିରି ବାହାରି ଆସୁଥାଏ ବିମାନ । ଏହିପରି ନୀଳ ଆକାଶରେ ୫୦୦ ହଜାର ଫୁଟ ଉଚ୍ଚରୁ ଘଣ୍ଟାପ୍ରତି ୧୫ ଶହ କିଲୋମିଟର ଚିତ୍ତକର୍ଷକ ପ୍ରଦର୍ଶନ କରିଥିଲେ ବାୟୁବୀର ।

ଆକାଶରେ ଜଲୱା ଦେଖାଇଛନ୍ତି ବାୟୁବୀର । ଏରୋବାଟିକ୍ ଟିମ୍‌ ଆକାଶମାର୍ଗରେ ସାହସିକତା ପ୍ରଦର୍ଶନ କରିଥିଲେ । ସୌର୍ଯ୍ୟ ଓ ସାମର୍ଥ୍ୟ ଦେଖାଇଥିଲେ ବାୟୁବୀର । ଭୁବନେଶ୍ବର କୁଆଖାଇ ପଠା ବାଲିଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାର ସୋ’ ଦେଖିଲେ ରାଜ୍ୟବାସୀ । ସୂର୍ଯ୍ୟକିରଣ ଏୟାର ସୋ ଦେଖିବାର କୁଆଖାଇ ବାଲିଯାତ୍ରା ପଡିଆରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂର୍ଯ୍ୟକିରଣ ଏୟାର ସୋ ଦେଖିବାକୁ ଉପସ୍ଥିତ ରହିଥିଲେ । ବାୟୁସେନା ସୂର୍ଯ୍ୟକିରଣ ଏରୋବେଟିକ ଦଳ ରଣ କଳା କୌଶଳ ପ୍ରଦର୍ଶନ କରିଥିଲେ ।

ଦୁଇଟି ପର୍ଯ୍ୟାୟରେ ଏୟାର ସୋ’ ହୋଇଥିଲା । ପ୍ରଥମଟି କୋମ୍ପୋଜାଇଟ ଓ ଦ୍ବିତୀୟଟି ସିଙ୍କୋ । ପ୍ରଥମ ପର୍ଯ୍ୟାୟର ଉଡାଣର ନେତୃତ୍ବ ନେଇଥିଲେ ଗ୍ରୁପ କ୍ୟାପ୍ଟେନ ଜିଏସ ଢିଲୋ । ୱିଙ୍ଗ କମାଣ୍ଡର ଅତୁଲ ତାଙ୍କ ପଛରେ ରହିଥିଲେ ସ୍କ୍ବର୍ଡନ ଲିଡର ଭଲ୍ଲା । ଆଖି ପିଛୁଳାରେ ଆକାଶ ମାର୍ଗରେ ଉଡିଥିଲେ ୯ଟି ହକ ବିମାନ । ଘଡିକି ଘଡିକି ଉଡାଣରେ ପରିବର୍ତ୍ତନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଗୋଟିଏ ପରେ ଗୋଟିଏ ବିମାନ ଆକାଶମାର୍ଗରେ ଚିତ୍ତାକର୍ଷକ ପ୍ରଦର୍ଶନ କରିିଥିଲେ । ଚ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଥିଲା ନୀଳ ଆକାଶ । ଭର୍ଟିକାଲ ଚାର୍ଲି, ଡାଇମଣ୍ଡ ଓ ଆରୋହେଡରେ ସୋ’ ପ୍ରଦର୍ଶନ କରିଥିଲେ ବାୟୁବୀର । ଆକାଶମାର୍ଗରୁ ଟିମ ଲିଡରଙ୍କ ସ୍ବର ମଧ୍ୟ ଶୁଣିବାକୁ ମିଳିଥିଲା ।

ଏୟାର ସୋ’ ଦେଖିବାକୁ ବାଲିଯାତ୍ରା ପଡିଆରେ ହଜାର ହଜାର ଅଧିକ ଲୋକଙ୍କ ସମାଗମ ହୋଇଥିଲା । ବାୟୁବୀରଙ୍କ ସାହସ ଓ ପରାକ୍ରମ ଦେଖି ଲୋକ ଉତ୍ସାହିତ ହୋଇଥିଲେ । ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ଅବସରରେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଏହାର ସ୍ୱତନ୍ତ୍ର ଉଡାଣ ଆୟୋଜିତ ହୋଇଥିଲା । ସୂର୍ଯ୍ୟକିରଣ ଟିମ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ସୋ’ ପ୍ରଦର୍ଶନ କରାଯାଇଥିଲା । ଶ୍ରୀଲଙ୍କାର କଲୋମ୍ବୋରେ ଏହି ସୋ’ ଆୟୋଜିତ ହୋଇଥିଲା । ଏହା ପରଠାରୁ ସୂର୍ଯ୍ୟକିରଣ ଟିମ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ସୋ’ ପ୍ରଦର୍ଶନ କରି ଆସୁଛନ୍ତି । ଅତ୍ୟାଧୁନିକ ହକ୍ ଏମକେ ୧୩୨ ଏୟାରକ୍ରାଫ୍ଟ ଦ୍ୱାରା ବାୟୁସେନା ପକ୍ଷରୁ ଏଭଳି ନିଆରା ପ୍ରଦର୍ଶନ କରି ଆସୁଛି । ପୂର୍ବବର୍ଷ ଡେରାଡୁନ ରାମେଶ୍ବରମରେ ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲା । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ପୁରୀରେ ଏହି ଆରୋବାଟିକ ଡିସପ୍ଲେ ସୋ’ ଅନୁଷ୍ଠିତ ହେବ ।