ନିଷ୍ଠୁର ସ୍ୱାମୀର ଲୁହାଛଡ ମାଡରେ ତୃତୀୟ ସ୍ତ୍ରୀ ଗୁରୁତର

ଦେବଗଡ,ଏନ୍ଏନ୍ଏସ୍ : ନିଷ୍ଠୁର ସ୍ୱାମୀର ଲୁହାଛଡ ମାଡରେ ତୃତୀୟ ସ୍ତ୍ରୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି, ଦେବଗଡ ଥାନା ଅନ୍ତର୍ଗତ କଂଚୋଡା ଗ୍ରାମରେ । ଆଜି ଜଣେ ନିଷ୍ଠୁର ସ୍ୱାମୀର ଲୁହା ଛଡ ମାଡରେ ନବ ବଧୂ ଲହୁ ଲୁହାଣ ହୋଇ ପଡ଼ିଶା ଲୋକଙ୍କ ସହାୟତାରେ ପୁଲିସ ଦ୍ୱାରା ଉଦ୍ଧାର ହୋଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣା ପଡିଛି। ସ୍ୱାମୀ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଚୋଡା ଗ୍ରାମର କାଳିଆ ନାଏକ (୩୬) ଗତ ୧୫ଦିନ ପୂର୍ବେ ବଣାଇଁ ଥାନା ଅଂଚଳର ଜଣେ ମା’ ଛେଉଣ୍ଡ ୧୯ ବର୍ଷିୟ ଯୁବତୀଙ୍କୁ ତୃତୀୟ ସ୍ତ୍ରୀ ଭାବେ ଘରକୁ ଆଣିଥିଲେ । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ଦ୍ୱିତୀୟ ସ୍ତ୍ରୀଙ୍କ ବର୍ତମାନ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ। ଏଥି ପାଇଁ କାଳିଆ ତୃତୀୟ ସ୍ତ୍ରୀ ରାଧିକା କିସାନଙ୍କୁ ବିବାହ କରିଥିଲେ । ତେବେ ଘରକୁ ଆଣିବାର ୧୫ଦିନ ନପୂରୁଣୁ ଆଜି ଅପରାହ୍ଣ ସମୟରେ ରାଧିକାଙ୍କ ଚରିତ୍ରକୁ ସନ୍ଦେହ କରି ଏକ ଲୁହା ଛଡ ସାହାଯ୍ୟରେ ଅତି ନିର୍ମମ ଭାବେ ପ୍ରହାର କରିବାରୁ ରାଧିକାଙ୍କ ଶରୀରର ବିଭିନ୍ନ ସ୍ଥାନ ଫାଟି ଯିବା ସହ ଗୋଡ ଓ ଜଙ୍ଘର ମାଂସ ଛିଣ୍ଡି ଯାଇଥିଲା। ରାଧିକ ମାଡ଼ ସହ୍ୟ କରି ନପାରି ଚିତ୍କାର କରିବାରୁ ଗ୍ରାମବାସୀ ନିଷ୍ଠୁର ସ୍ୱାମୀଙ୍କ କବଳରୁ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

ମାତ୍ର କାଳିଆ ସେମାନଙ୍କୁ ପଥର ସାହାଯ୍ୟରେ ଆକ୍ରମଣ କରିବାରୁ ଗ୍ରାମବାସୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏନେଇ ଦେବଗଡ଼ ଥାନାକୁ ଖବର ଦେଇଥିଲେ। ଖବର ପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ପଡ଼ିଥିବା ରାଧିକାକୁ ଉଦ୍ଧାର କରି ପିସିଆର ଭ୍ୟାନ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ପୁଲିସକୁ ଦେଖି କାଳିଆ ଫେରାର ହୋଇଯାଇଛି ବୋଲି ଜଣାପଡ଼ିଛି।