ଫିଲିପାଇନରେ ସାମୁଦ୍ରିକ ଝଡ଼ ‘ଗୋନି’ର ତାଣ୍ଡବ: ୭ ମୃତ, ୧୦ ଲକ୍ଷ ସ୍ଥାନାନ୍ତର

ମାନିଲା,ଏଜେନ୍ସି: ବଡ ଧରଣର ସାମୁଦ୍ରିକ ଝଡ଼ ‘ଗୋନି’ ରବିବାର ଫିଲିପାଇନ୍‌ରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ସୃଷ୍ଟି କରିଛି । ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ତେବେ ‘ଗୋନି’ ରବିବାର ସ୍ଥଳଭାଗ ଛୁଇଁବା ପୂର୍ବରୁ ପାଖାପାଖି ୧୦ ଲକ୍ଷ ଲୋକଙ୍କୁ ସରକାର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଫିଲିପାଇନ୍ସ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ କୁହାଯାଇଛି, ଲୁଜୋନ୍ ଦ୍ୱୀପର ଆଲବେ ଅଞ୍ଚଳରୁ ପ୍ରାୟ ୮ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଥିବା ବେଳେ ଆଖପାଖ ଅଞ୍ଚଳରୁ ଆଉ ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଅଞ୍ଜଳକୁ ସ୍ଥାନାନ୍ତର କରାଯାଇଛି । ‘ଗୋନି’ ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ସର୍ବାଧିକ ୨୨୫ କିଲୋମିଟର ବେଗରେ ପବନ ବହିଥିଲା । ପରେ ଏହାର ବେଗ ଘଣ୍ଟା ପ୍ରତି ୩୧୦ କିଲୋମିଟରକୁ ବୃଦ୍ଧି ପାଇଥିଲା । ଫଳରେ ବହୁ ଘରଦ୍ୱାର ଭାଙ୍ଗିରୁଜି ଯିବା ସହିତ ଅନେକ ଗଛ ଉପୁଡିପଡିଛି ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।