୪ ଶିକାରୀ ଗିରଫ, ଫାଶ ଜବତ

ଦେବଗଡ଼,ଏନଏନଏସ: ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ରେ ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ମଧ୍ୟରେ ଫାଶ ବିଛାଉ ଥିବା ବେଳେ ୪ ଶିକାରୀଙ୍କୁ ବନବିଭାଗ କର୍ମଚାରୀ ମାନେ ଗିରଫ କରିଥିବା ଜଣାପଡିଛି । ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ବେଞ୍ଜତିନାଳୀ ନିକଟସ୍ଥ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ଶିକାରୀ ମାନେ ପଶିଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଫରେଷ୍ଟର ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ବନରକ୍ଷୀ ଭୋଳେଶ୍ୱର ସାହୁ, ଆର. ଏଫ ସ୍କ୍ୱାର୍ଡର ସଦସ୍ୟ ମାନେ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଯାଇ ତଲାସୀ ନେଇଥିଲେ ।

ତଲାସୀ ସମୟରେ ରିଆମାଳ ଥାନା ଅନ୍ତର୍ଗତ ତେନ୍ତଳାବାହାଳ ଗ୍ରାମର କାର୍ତିକ କିସାନ (୪୦), ଭୋଳେଶ୍ୱର ଭୋଇ (୫୫), ଓ ତବଡା ଗ୍ରାମର ବିଦ୍ୟା ଓଦାବର (୨୪)ଓ ପ୍ରତାପ ଡୁଙ୍ଗ ଡୁଙ୍ଗ (୩୫) ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ଫାଶ ଲଗାଉ ଥିବାବେଳେ ବନ କର୍ମଚାରୀ ମାନେ ଉକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦ ମିଟର ତାର ଓ ଫାଶ ଜବତ କରିଥିଲେ । ସେହିପରି ସେମାନଙ୍କ ନାମରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ର ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।