ପେଟ ପାଇଁ ନାଟ : ୮୦ ବର୍ଷ ବୃଦ୍ଧର କରୁଣ କାହାଣୀ

ମାଲକାନଗିରି ,ଏନ୍ଏନ୍ଏସ୍ : ପରିବାରରେ ପିତାମାତା ପରିଣତି ବୟସରେ ଶାନ୍ତିରେ ଜୀବନ କାଟିବା, ଭଲ ଖାଇବା ପାଇଁ ପରିବାରର ପୁଅ ବୋହୂ, ନାତି ନାତୁଣୀଙ୍କ ଉପରେ ନିର୍ଭର କରିଥା’ନ୍ତି । କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଂଚିବା ପାଇଁ କିପରି ସଂଘର୍ଷ କରି ନିଜର ଓ ନିଜ ପରିବାରର ଭରଣପୋଷଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ମାଲକାନଗିରି ସହରରେ।

ମାଲକାନଗିରି ଜିଲ୍ଲା ସଦର ମହକୁମା ଚିଦାନନ୍ଦ ସାହିର ଦୁଖୁ ଗୌଡ, ବୟସ ୮୦ । ଆଖିକୁ ଭଲ ଦେଖା ଯାଏ ନାହିଁ ଓ କାନକୁ ଶୁଭା ଯାଏ ନାହିଁ । ସ୍ତ୍ରୀ ଜାନକୀ ଗୌଡ଼ (୭୮) ତାଙ୍କର ମଧ୍ୟ ସେହି ଅବସ୍ଥା । କାମଧନ୍ଦା କରି ନପାରି ରୋଗାଗ୍ରସ୍ତ ଅବସ୍ଥାରେ ଏକ ଝୁପୁଡ଼ି ଘରେ ପଡ଼ି ରହିଛନ୍ତି । ଦୁଖୁ ଗୌଡ଼ ପ୍ରତିଦିନ ସକାଳୁ ସହରରେ ଏଣେତେଣେ ପଡ଼ିଥିବା ଅଦରକାରୀ କାଗଜପତ୍ର ଇତ୍ୟାଦି ସଂଗ୍ରହ କରି ଗୋଟିଏ ସ୍ଥାନରେ ଠୁଳ କରି ରଖନ୍ତି । ବସ୍ତାରେ ପୁରାଇ ମୁଣ୍ଡରେ ବୋହିବା ନିମନ୍ତେ ବଳ ନଥିବାରୁ ଏକ ରଶି ବାନ୍ଧି ଘୋସାଡ଼ି ଘୋସାଡ଼ି ଜଣେ ବ୍ୟବସାୟୀଙ୍କ ନିକଟକୁ ନେଇ ବିକ୍ରି କରନ୍ତି । ଏଥିରେ ଦିନକୁ ୩୦ ରୁ ୪୦ ଟଙ୍କା ରୋଜଗାର କରୁଥିବା ଦୁଖୁ ପ୍ରକାଶ କରିଛନ୍ତି ।

ଦୁଖୁଙ୍କ କହିବା ଅନୁଯାୟୀ, ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ବଡ଼ପୁଅ ଡ଼ମୁ ଗୌଡ଼ ଦୀର୍ଘ ୨୦ ବର୍ଷ ପୂର୍ବରୁ ପାଗଳ ହୋଇ ଯାଇ କେଉଁଆଡ଼େ ପଳାଇଛି । ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଠିକଣା ମିଳି ନଥିଲା । ବର୍ତମାନ ସେ ଜୀବିତ କି ମୃତ ତାହା ମଧ୍ୟ ଜାଣି ନାହାନ୍ତି । ସାନପୁଅ ଶିବ ଗୌଡ଼ ବିବାହ ପରେ ନିଜ ସ୍ତ୍ରୀକୁ ନେଇ ଅଲଗା ରହୁଛି । ସାନପୁଅ ଅଟୋ ଚଲାଇ କିଛି ପଇସା ରୋଜଗାର କରୁଥିଲା । ବର୍ତମାନ ସେ ମଧ୍ୟ ରୋଗାଗ୍ରସ୍ତ ହୋଇ ଘରେ ପଡ଼ି ରହିଛି । ସାନପୁଅ ଏବଂ ବୋହୂର ଦଉଇ ପୁଅ ଓ ଗୋଟିଏ ଝିଅ । ଦାରିଦ୍ର‌୍ୟତା ଅବସ୍ଥାରୁ ଗୋଟିଏ ନାତି ଓ ନାତୁଣିକୁ ପାଠ ପଢାଇ ପାରୁନାହାନ୍ତି । କିନ୍ତୁ ବଡ଼ନାତି ରୋହିତ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଦାରିଦ୍ର‌୍ୟତା ମୋତେ ଓ ମୋ ପରିବାରର ପିଛା ଛାଡୁ ନାହିଁ । ମୋତେ ମାସକୁ ୭୦୦ ଟଙ୍କା ଭତା ମିଳୁଥିଲେ ମଧ୍ୟ ଏହା ପରିବାର ଚଳାଇବା ପାଇଁ କଷ୍ଟକର । ଯଦି ସରକାର ଖଣ୍ଡେ ବାସଗୃହ ଏବଂ ଆମ ବୃଦ୍ଧ ବୃଦ୍ଧାଙ୍କୁ ଆଖି ଓ କାନ ରୋଗର ଚିକିତ୍ସା କରି ପାରନ୍ତେ ତେବେ ଆଉ କିଛିଦିନ ଶାନ୍ତିରେ ବଂଚିରହି ପାରନ୍ତୁ ବୋଲି ଦୁଖୁ କୋହ ଭାରା କଣ୍ଠରେ ପ୍ରକାଶ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇବାକୁ ଦାବୀ ହୋଇଛି ।