ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ଡ୍ରାଇଭର ସୁଶୀଲ କୁମାର ଓ କଣ୍ଡକ୍ଟର ପରମଜୀତଙ୍କୁ ହରିୟାଣା ରୋଡୱେଜ ପକ୍ଷରୁ ସମ୍ମାନିତ କରାଯାଇଛି । ସୁଶୀଲ ଓ ପରମଜୀତ ପାନୀପତ ଫେରିଲେ ହରିୟାଣା ରୋଡୱେଜ ପ୍ରଶଂସାପତ୍ର ସହ ସିଲ୍ଡ ମଧ୍ୟ ପ୍ରଦାନ କରିବ । ହରିୟାଣା ସରକାର ମଧ୍ୟ ଉଭୟଙ୍କୁ ସମ୍ମାନିତ କରିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତକାଲି ଋଷଭ ପନ୍ତ ତାଙ୍କ ମା’ଙ୍କୁ ଭେଟିବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଏହି ସମୟରେ ମହମ୍ମଦପୁର ଜଟ୍ଟ ପାଖରେ ତାଙ୍କ କାର ଡିଭାଇଡରକୁ ପିଟିବା ସହ ଜଳି ଯାଇଥିଲା । ଏହି ହୃଦୟବିଦାରକ ଘଟଣାରେ ପନ୍ତ ଗମ୍ଭୀର ଭାବେ ଆହତ ହୋଇଥିଲେ । ହରିୟାଣାରୁ ଡେରାଡୁନ ହାଇୱେରେ ହରିଦ୍ୱାର ତରଫରୁ ହରିୟାଣା ରୋଡୱେଜର ବସ୍ ନେଇ ଯାଉଥିବା ଡ୍ରାଇଭର ସୁଶୀଲ କୁମାର ଓ କଣ୍ଡକ୍ଟର ପରମଜୀତ ପନ୍ତଙ୍କୁ ବଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।