ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ ମୁଖ୍ୟାଳୟରେ ଚାଲିଥିବା କାଳୀପୂଜା ମେଳା ବୁଲିବାକୁ ଆସିଥିବା ଜଣେ ଗରିବ ମହିଳାଙ୍କ ହଜିଥିବା ଟଙ୍କା ଭର୍ତ୍ତି ପର୍ସକୁ ସେଠାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ପାଇ ଉକ୍ତ ମହିଳାଙ୍କୁ ହସ୍ତାନ୍ତର କରି ମହାନତାର ପରିଚୟ ଦେଇଛନ୍ତି।
ସୂଚନା ଅନୁଯାୟୀ ଜନଗହଳି ପୂର୍ଣ୍ଣ ବାରକୋଟ କାଳୀପୂଜା ମେଳାରୁ ଏକ ଶାଢ଼ୀ କିଣିବାକୁ ଆସିଥିବା ଦଂରା ଗ୍ରାମର ଜଣେ ଗରିବ ମହିଳା ସନ୍ତୋଷିନୀ ବେହେରା ପୂଜା ମଣ୍ଡପରେ ମା’ କାଳୀଙ୍କ ଦର୍ଶନ ପାଇଁ ଆସି ମେଳା ପଡିଆ ଅଭିମୁଖେ ଯାଉଥିବା ବେଳେ ଅସାବଧାନତା ବଶତଃ ନିଜ ଟଙ୍କା ଭର୍ତ୍ତି ନିଜ ପର୍ସଟି ତାଙ୍କ ହାତରୁ ଖସି ପଡିଥିଲା। ତେବେ ପୂଜା ମଣ୍ଡପ ନିକଟରେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ଥିବା ବାରକୋଟ ଥାନା ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀ ଟଙ୍କଧର ନାଏକ ଉକ୍ତ ମନିପର୍ସଟିକୁ ପାଇଥିଲେ। ପର୍ସ ମଧ୍ୟରେ ଆଠସହ ପଚାଶ ଟଙ୍କା ଥିବା ବେଳେ ପରିଚୟ ପାଇଁ କୌଣସି ଚିହ୍ନନଥିଲା। ଫଳରେ ଗୃହରକ୍ଷୀ ଟଙ୍କଧର ପୂଜା ମଣ୍ଡପରେ ଥିବା ଡାକବାଜି ଯନ୍ତ୍ରରେ ପାଇଥିବା ପର୍ସ ସମ୍ବନ୍ଧରେ ପ୍ରଚାର କରିବା ସହ ପ୍ରମାଣ ଦେଇ ନେଇଯିବାକୁ ଘୋଷଣା କରିଥିଲେ। କିଛି ସମୟ ପରେ ପ୍ରାୟ ୨/୩ ଜଣ ମହିଳା ଆସି ସେମାନଙ୍କ ପର୍ସ ହଜିଥିବା କହି ଫେରାଇ ଦେବାକୁ କହିଥିଲେ। ହେଲେ ପର୍ସ ମଧ୍ୟରେ ଥିବା ଟଙ୍କା ସମ୍ପର୍କରେ ସଠିକ କହିନପାରି କେହି ଦୁଇ ହଜାର ଥିବା ପ୍ରକାଶ କରିଥିବା ବେଳେ ଆଉ କେହି ୨ ଶହ ଥିବା ଦାବି କରିଥିଲେ। ହଜିଥିବା ପର୍ସର ରଙ୍ଗ ମଧ୍ୟ କହି ପାରିନଥିଲେ।
କିଛି ଘଣ୍ଟା ପରେ ଶେଷରେ ପର୍ସ ହଜାଇଥିବା ପ୍ରକୃତ ଗରିବ ମହିଳା ଜଣକ ସେଠାରେ ପହଞ୍ଚି ସେ ଶାଢ଼ୀ କିଣିବାକୁ ପର୍ସରେ ଗୋଟିଏ ପାଞ୍ଚ ଶହ ନୋଟ, ଗୋଟିଏ ୨ ଶହ ନୋଟ, ଗୋଟିଏ ଏକ ଶହ ନୋଟ ଓ ପାଞ୍ଚଟି ଦଶ ଟଙ୍କି ନୋଟ ଥିବା ପ୍ରକାଶ କରିବା ଶହ ପର୍ସର ପ୍ରକୃତ ରଙ୍ଗ ମଧ୍ୟ କହିଥିଲେ। ପରେ ଗୃହରକ୍ଷୀ ଟଙ୍କଧର ଉକ୍ତ ମହିଳାଙ୍କୁ ତାଙ୍କ ଟଙ୍କା ଭର୍ତ୍ତି ପର୍ସ ହସ୍ତାନ୍ତର କରିଥିଲେ। ପ୍ରବଳ ଜନ ଗହଳିରେ ହଜିଥିବା ନିଜ ଟଙ୍କା ଭର୍ତ୍ତି ପର୍ସ ଫେରି ପାଇବାର ଆଶା ଛାଡି ଦେଇଥିବା ଗରିବ ମହିଳା ଜଣକ ନିଜ ପର୍ସ ଫେରିପାଇ ଗୃହରକ୍ଷୀଙ୍କ ନିକଟରେ କୃତଜ୍ଞତା ଜଣାଇବା ଶହ ଫେରି ପାଇଥିବା ଟଙ୍କାରୁ ମା’ଙ୍କ ହୁଣ୍ଡିରେ କିଛି ଟଙ୍କା ଦେଇ ଖୁସିରେ ପୁଣିଥରେ ମେଳା ପଡିଆକୁ ବାହାରି ଥିଲେ।