ଆସନ୍ତା ୬ ମାସ ପାଇଁ ନାଗାଲାଣ୍ଡକୁ ଅଶାନ୍ତ କ୍ଷେତ୍ର ଘୋଷଣା କଲା କେନ୍ଦ୍ର ଗୃହବିଭାଗ

ନାଗାଲାଣ୍ଡ,ଏଜେନ୍ସି: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଭାରତର ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡକୁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ, ସଶସ୍ତ୍ର ବାହିନୀର ଅଧିକାର ଅଧିନିୟମ (ଏଏଫଏସପିଏ) ଅନୁଯାୟୀ ଆସନ୍ତା ୬ ମାସ ପାଇଁ ମନ୍ତ୍ରଣାଳୟ ରାଜ୍ୟକୁ ଏକ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ସୀମା ମଧ୍ୟରେ ଥିବା ଅଞ୍ଚଳ ବର୍ତ୍ତମାନ ଅଶାନ୍ତ ଓ ତାହା ବିପଜ୍ଜନକ ପରିସ୍ଥିତିରେ ଅଛି। ଏହି କାରଣରୁ ଏଠାକାର ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଲେଖାଯାଇଛି ଯେ, ‘କେନ୍ଦ୍ର ସରକାରଙ୍କ ମତ ଅନୁସାରେ ନାଗାଲାଣ୍ଡ ରାଜ୍ୟ ସୀମା ମଧ୍ୟରେ ଥିବା ଅଞ୍ଚଳ ଏତେ ଅଶାନ୍ତ ତଥା ବିପଜ୍ଜନକ ଅବସ୍ଥାରେ ଅଛି ଯେ ସେଠାରେ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ସଶସ୍ତ୍ର ବାହିନୀ ବ୍ୟବହାର କରିବା ଆବଶ୍ୟକ ହେଉଛି’। ବର୍ତ୍ତମାନ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର ଶକ୍ତି) ଅଧିନିୟମ, ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ସରକାର ସମଗ୍ର ନାଗାଲାଣ୍ଡକୁ ‘ଅଶାନ୍ତ କ୍ଷେତ୍ର’ ବୋଲି ଘୋଷଣା କରିଛନ୍ତି।