ନୂଆଦିଲ୍ଲୀ: ‘ଅମ୍ଫାନ’ର ମୁକାବିଲା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟାକୁ ନେଇ କିଭଳି ପ୍ରସ୍ତୁତି କରାଯାଇଛି ସେନେଇ ଗୃହମନ୍ତ୍ରୀ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଭାବିତ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ ଯୋଗଇ ଦିଆଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିଲେ।
ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପାରଦ୍ୱୀପଠାରୁ ୪୮୦ କିମି ସେହିପରି ଦୀଘାଠାରୁ ୬୩୦ କିମି ଦୂରରେ ରହିଛି ବୋଲି ପ୍ରଦାନ କରିଛି। ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରୁଛି। ଏହା ସିଧାସଳଖ ଓଡ଼ିଶାରେ ମାଡ଼ ନହେଉଥିଲେ ବି ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ। ଭଦ୍ରକ, ଜଗତସିଂହୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ ବାଲେଶ୍ୱରରେ ସବୁଠୁ ଅଧିକ ପ୍ରଭାବ ପକାଇବ। ଏହି ସବୁ ଜିଲ୍ଲାରେ ପବନର ବେଗ ୧୩୫ କିମି ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶରେ ହାତିଆ ଦ୍ୱୀପରେ ୨୦ ତାରିଖ ଅପରାହ୍ଣରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି।