ଦୁଇ ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦୁଇ ଦିନିଆ ଓଡିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯାଇଛନ୍ତି ଶାହ । ବିମାନ ବନ୍ଦରରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦଳୀୟ ରାଜ୍ୟ ସଭାପତି, ଜାତୀୟ ମୁଖପାତ୍ର, ଭୁବନେଶ୍ବର ସାଂସଦ, ରାଜ୍ୟସ୍ତରୀୟ ନେତା ବିଦାୟ ଦେଇଛନ୍ତି ।

ଗତକାଲି (ରବିବାର) ବିଳମ୍ବିତ ରାତ୍ରିରେ ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବରରେ ପହଞ୍ଚିଥିଲେ । ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସିଧା ସଳଖ ହୋଟେଲ ଅଭିମୁଖେ ଯାଇ ବିଶ୍ରାମ ନେଇଥିଲେ । ଆଜି ସକାଳୁ ଶାହ ପ୍ରଥମେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ପରେ ସିଧା ସଳଖ କଟକ ଯାଇ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବା ସହ ନେତାଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

କଟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ତମ ଅମୃତ ମହତ୍ସୋବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷ ପରେ ଭୁବନେଶ୍ବର ଫେରି ଦଳୀୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ । ପରେ ଏକ ଘରୋଇ ହୋଟେଲରେ ଆୟୋଜିତ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ମୋଦି @ ୨୦ ପୁସ୍ତକ ଲୋକାର୍ପଣ କରିଥିଲେ ।

ପରେ କିଛି ସମୟ ପୂର୍ବରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯାଇଛନ୍ତି ।