ତଟ ସୁରକ୍ଷା ଚିନ୍ତା: ଏନ୍‌ଆଇଓଟି ସହିତ ଚୁକ୍ତି ହେବ, ୪ଟି ଜିଲ୍ଲାର ଲୁଣାବନ୍ଧର ସୁଦୃଢ଼ୀକରଣ କରାଯିବ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କୁ ଘାରିଛି ତଟ ସୁରକ୍ଷା ଚିନ୍ତା । ରାଜ୍ୟରେ ବିଭିନ୍ନ ସମୟରେ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଛି ସମୁଦ୍ର । ସମୁଦ୍ର ତଟବର୍ତ୍ତି ଲୁଣାବନ୍ଧର ସ୍ଥାୟୀ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ନିର୍ମାଣ କରାଯିବ ସୁଦୃଢ଼ ଲୁଣାବନ୍ଧ । ଏଥିପାଇଁ ଏନ୍‌ଆଇଓଟି ସହିତ ଚୁକ୍ତି କରିବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, “ଆସନ୍ତା ୧୦ ତାରିଖରେ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି ସହ ଏମ୍‌ଓୟୁ ସ୍ଵାକ୍ଷର କରିବ ଜଳସମ୍ପଦ ବିଭାଗ । ଏମ୍‌ଓୟୁ ଅଧୀନରେ ନଦୀବନ୍ଧର ସୁଦୃଢ଼ୀକରଣ ଲାଗି ଟେକ୍ନୋଲୋଜି ସହାୟତା ଯୋଗାଇବ ଏନ୍‌ଆଇଓଟି, ଚେନ୍ନାଇ । ପ୍ରଥମ ପର୍ଯ୍ୟାୟରେ ଅତି ସମ୍ବେଦନଶୀଳ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ୧୯୮ କିଲୋମିଟର ଲୁଣାବନ୍ଧର ସୁଦୃଢ଼ୀକରଣ ହେବ । ଏଥି ନିମନ୍ତେ ଖର୍ଚ୍ଚ ହେବ ୭୬୩ କୋଟି ଟଙ୍କା ।”

ସେହିପରି ” ବନ୍ୟା ଆଶଙ୍କାକୁ ଏଡାଇବାକୁ ଚଳିତ ବର୍ଷ ରାଜ୍ୟର ୧୮ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଛି । ସମସ୍ତ ନଦୀବନ୍ଧର କାମ ସରିଛି । ସାମ୍ଭାବ୍ୟ ବନ୍ୟା ଲାଗି ବିଭାଗ ସଜାଗ ରହିଛି । ଯେକୌଣସି ପରିସ୍ଥିତି ଆସିଲେ ବି ମୁକାବିଲା ଲାଗି ସରକାର ପ୍ରସ୍ତୁତ” ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।