ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଏନଏସିର ୧୫ ନମ୍ବର ୱାର୍ଡ ରାଣିସଗାର ଗାଁରେ ଆଜି ଦିନ ୧୧ଟା ସମୟରେ ଉତ୍ତମ ମୁଣ୍ଡାଙ୍କ ଘରେ ହଠାତ ସଟସର୍କିଟ ଯୋଗୁ ନିଆଁ ଲାଗିଯିବାରୁ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ସମୟରେ ଘରେ ଛୋଟ ପିଲାମାନେ ଟିଭି ଦେଖୁଥିବାବେଳେ ଏହି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି । ଘର ଭିତରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, କିଛି ଚାଉଳ ବସ୍ତା, ନଗଦ ୩୦ ହଜାର ଟଙ୍କା ଓ ବହୁ ଜିନିଷ ପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ପାଟଣାଗଡ଼ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଉତ୍ତମ ମୁଣ୍ଡାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ପକ୍ଷରୁ ସରକାରୀ ସାହାଯ୍ୟ କରିବାକୁ ଦାବୀ କରାଯାଇଛି । କ୍ଷତିଗ୍ରସ୍ତ ପରିବାର ଏବେ ବେସାହାରା ହୋଇ ପଡ଼ାର ଏକ କ୍ଲବ ଘରେ ଆଶ୍ରୟ ନେଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ ।