ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା ପେଗମ୍ବରକୁ ନେଇ ଦେଇଥିବା ବୟାନ ମାମଲାରେ ବିବାଦ ଥମିବାର ନାମ ନେଉନାହିଁ । ଏଭଳି ସ୍ଥିତିରେ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୁପୂର ଶର୍ମାଙ୍କୁ ସମର୍ଥନ କରିଛନ୍ତି । ବିଷ୍ଣୁ ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏକ ଲେଟର ପିଟିସନ ପଠାଇଛନ୍ତି । ଏଥିରେ ବିଷ୍ଣୁ ଗୁପ୍ତା କହିଛନ୍ତି ଯେ, ଧର୍ମଗ୍ରନ୍ଥରେ ଯାହା ଲେଖା ହୋଇଛି ନୁପୂର ତାହା କହିଛନ୍ତି । ହିନ୍ଦୁ ଦେବୀ ଦେବତାଙ୍କ ଉପରେ ମଧ୍ୟ ଅନେକ ଟିପ୍ପଣୀ ଦିଆଯାଏ କିନ୍ତୁ ହିନ୍ଦୁମାନେ ତ ହିଂସା ପରାୟଣ ହୋଇନଥାନ୍ତି । ସୁପ୍ରିମକୋର୍ଟ ନିଜ ଟିପ୍ପଣୀ ଦ୍ୱାରା ଏକ କ୍ରୁର ହତ୍ୟାକୁ ମଧ୍ୟ ଠିକ୍ ସାବ୍ୟସ୍ତ କରିଦେଲେ । ନୁପୂରଙ୍କ ସୁରକ୍ଷା ଉପରେ ବିଚାର କରାଯାଉ ।
ସୂଚନାଯୋଗ୍ୟ, ଟିଭି ନ୍ୟୁଜ ଚ୍ୟାନେଲରେ ଡିବେଟ ସମୟରେ ନୁପୂର ଶର୍ମା ପେଗମ୍ବର ମୋହମ୍ମଦଙ୍କ ଉପରେ ବିବାଦିତ ବୟାନ ଦେଇଥିଲେ । ଏହି ବୟାନକୁ ନେଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ନୁପୂରଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏହି ସବୁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୁପୂର ସୁପ୍ରିମକୋର୍ଟରେ ଆଦେବନ କରିଥିଲେ । କିନ୍ତୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିବା ତ ଦୂରର କଥା ଶୁଣାଣି କରିବାକୁ ମଧ୍ୟ ମନା କରି ଦେଇଛନ୍ତି ।