ମୁଖ୍ୟମନ୍ତ୍ରୀ ଭାବେ ଶପଥନେଲେ ହିମନ୍ତ ବିଶ୍ୱଶର୍ମା

ଗୁଆହାଟୀ,ଏଜେନ୍ସି: ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ଜଗଦୀଶ ମୁଖୀ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ପରେ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ସରକାର କରୋନା ସଂକ୍ରମଣ ରୋକିବାକୁ ପ୍ରାଥମିକତା ଦେବ। ସେ ଏହି ଅବସରରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଉଲ୍ଫା ସହ ଆଲୋଚନା କରିବାକୁ ତାଙ୍କ ସରକାର ପ୍ରସ୍ତୁତ ଅଛି ବୋଲି କହିଛନ୍ତି।
ରାଜଭବନ ପରିସରରେ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଆୟୋଜିତ ସମାରୋହରେ ହିମନ୍ତ ସିଲ୍କଧୋତି ଓ କୁର୍ତ୍ତା ପରିଧାନ କରି ଶପଥଗ୍ରହଣ କରିଥିଲେ। ତାଙ୍କ ସହିତ ୧୩ଜଣ ଅନ୍ୟ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଶପଥ ନେଇଥିବା ଏହି ୧୩ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ୧୦ଜଣ ବିଧାୟକ ରହିଛନ୍ତି। ବିଜେପିର ରାଜ୍ୟ ସଭାପତି ରଣଜିତ କୁମାର ଦାସ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ପୂର୍ବ ସରକାରରେ ମନ୍ତ୍ରୀ ଥିବା ଚନ୍ଦ୍ରମୋହନ ପଟୱାରୀ, ପରିମଳ ଶୁକଲ ବୈଦ୍ୟ, ଯୋଗେଶ ମୋହନ ଓ ସଞ୍ଜୟ କିଷନ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ହିମନ୍ତଙ୍କ ମନ୍ତ୍ରିମଣ୍ଡଳରେ ଯେଉଁ ନୂଆ ମୁହଁ ସାମିଲ ହୋଇଛନ୍ତି ସେମାନେ ହେଲେ ରନୋଜ ପେଗୁ, ବିମଲ ବୋରା। କ୍ୟାବିନେଟ୍ରେ ଜଣେ ମାତ୍ର ମହିଳା ଅଜନ୍ତା ନିୟୋଗଙ୍କୁ ସାମିଲ କରାଯାଇଛି।