ହିମାଚଳ ଭୂସ୍ଖଳନ ଘଟଣା: ପୁଣି ଏକ ମୃତଦେହ ଉଦ୍ଧାର, ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ଶିମଲା,ଏଜେନ୍ସି: ହିମାଚଳ ପ୍ରଦେଶର କିନ୍ନୋରରେ ବୁଧବାର ହୋଇଥିଲା ଭୂସ୍ଖଳନ ଘଟଣାରେ ପୁଣି ଏକ ମୃତଦେହ ଉଦ୍ଧାର ହୋଇଛି। ଇଣ୍ଡୋ-ତିବ୍ବତୀୟ ବୋର୍ଡର ପୁଲିସ (ଆଇଟିବିପି)ର କର୍ମଚାରୀମାନେ ଏହି ମୃତଦେହ ଉଦ୍ଧାର କରିଛନ୍ତି। ଏଥି ସହିତ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ତେବେ ଏହି ଦୁର୍ଘଟଣା ପରେ ୧୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ହିମାଚଳ ରାଜ୍ୟ ପରିବହନ ନିଗମ (ଏଚଆରଟିସି)ର ବସ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ। ଫଳରେ ଆଜିବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଅନୁସାରେ ହିମାଚଳର ରେକଙ୍ଗ ପିଓରୁ ବସଟି ଉତ୍ତରାଖଣ୍ଡର ହରିଦ୍ୱାର ଅଭିମୁଖେ ଯାଉଥିଲା। ବସରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ। ରେସ୍କ୍ୟୁ ଅପରେସନରେ ନିୟୋଜିତ ଥିବା ଆଇଟିବିପି ଯବାନ ଟିମଙ୍କ କହିବା ଅନୁସାରେ କିନ୍ନୋରରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଭୂସ୍ଖଳନ ସ୍ଥାନରେ ସଡ଼କ ସଫା କରାଯିବା ପରେ କୌଣସି ଖବର ମିଳିପାରି ନାହିଁ। ଆଇଟିବିପିର ଟିମ ବସ୍‌କୁ ଖୋଜିବାରେ ଲାଗିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ। ବସ ଠାବ ହେବା ପରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।