ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,ଏନ୍ଏନ୍ଏସ୍‌: ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁରର କୋର୍ଟ ଗୁଡିକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତାଙ୍କୁ ସ୍ୱାଗତ ଜଣାଇ ଆଇନଜୀବୀ ସଂଘ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା। ବିଚାରପତିଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ରେଜିଷ୍ଟ୍ରାର (ଇନ୍ସପେକସନ୍) ପ୍ରଭାକର ଗାଣ୍ଠିଆ, ନବରଙ୍ଗପୁର ଜିଲ୍ଲା ଜଜ୍ ସଞ୍ଜୀବ ଦୁବେ ମଞ୍ଚାସୀନ ଥିଲେ।

ବରିଷ୍ଠ ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ଝାଡେଶ୍ୱର ଖାଡଙ୍ଗା ନିଜ ବକ୍ତବ୍ୟ ମାଧ୍ୟମରେ ସଂଘ ଓ ମହକିଲ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲାର ସର୍କିଟ ଭିଜିଲାନ୍ସ କୋର୍ଟକୁ ଯଥା ଶୀଘ୍ର ନିୟମିତ କୋର୍ଟ କରିବା ପାଇଁ ଓ ଜିଲ୍ଲା ଆଇନଜୀବୀ ସଂଘର ପ୍ରସ୍ତାବିତ ଗୃହ ନିର୍ମାଣ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ବିଚାରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଏହି ସ୍ମାରକ ପତ୍ରକୁ ଆଇନଜୀବୀ ସୁଭାଷ ଚନ୍ଦ୍ର ପାଳ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ରାମ ପ୍ରସାଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।