‘ହର୍‌ ସର୍କଲ ଏଭ୍ରିବଡି’ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ରିଲାୟନ୍ସ ଫାଉଣ୍ଡେସନର ସଂସ୍ଥାପକ ଅଧ୍ୟକ୍ଷ ନିତା ଅମ୍ବାନୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ହର୍‌ ସର୍କଲ ଏଭ୍ରିବଡି’ ପ୍ରୋଜେକ୍ଟର ଶୁଭାରମ୍ଭ କରିଛନ୍ତି । ଏହା ଏକ ସାମାଜିକ କାର୍ଯ୍ୟକ୍ରମ ଯାହାକି ରଙ୍ଗ, ରୂପ, ବୟସ, ଧର୍ମ ଓ ଆକାର ନିର୍ବିଶେଷରେ ସଭିଙ୍କୁ ସକାରାତ୍ମକ ଭାବେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିବ । ମାନବିକତା ବଢ଼ାଇବା ସହ ବିଚାରଶୂନ୍ୟ ହୋଇ ସମସ୍ତଙ୍କୁ ଗ୍ରହଣ କରିବା ହେଉଛି ଏହି କାର୍ଯ୍ୟକ୍ରମ ପଛର ଉଦ୍ଦେଶ୍ୟ । ୨୦୨୧ ମସିହାରେ ମହିଳାଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ବିକାଶମୁଖୀ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ ଶ୍ରୀମତୀ ଅମ୍ବାନୀ ‘ହାର ସର୍କଲ’ର ସ୍ଥାପନା କରିଥିଲେ । ଏଥିସହିତ ଦ୍ୱିତୀୟ ବାର୍ଷିକୀରେ, ଏହି ପ୍ଲାଟଫର୍ମ ଭାରତର ସବୁଠୁ ବଡ଼ ଡିଜିଟାଲ ପ୍ଲାଟଫର୍ମ ହେବା ସହ ପ୍ରାୟ ୩୧୦ ମିଲିୟନ ମହିଳାଙ୍କ ପାଖରେ ପହଞ୍ଚି ପାରିଛି ।

‘ହର୍‌ ସର୍କଲ ଏଭ୍ରିବଡି’ ପ୍ରୋଜେକ୍ଟର ଲଞ୍ଚ ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ, ‘ହର୍‌ ସର୍କଲ’ ଭଗ୍ନୀତ୍ୱ ସହ ଏକଜୁଟତା ଉପରେ ଆଧାରିତ । ସମାନତା, ସମାବେଶ ଓ ସମ୍ମାନ ଦେବା ହେଉଛି ଏକଜୁଟତାର ଆଧାର । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କିପରି ଭାବେ ଟ୍ରୋଲିଂ ହେଉଛି ତାହା ଆମେ ସମସ୍ତେ ଦେଖୁଛୁ । ଜଣେ ତା’ର ଲଢ଼େଇ କିପରି ଲଢ଼ୁଛି ତାହା ନଜାଣି ଲୋକେ ନିଜର ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା କିମ୍ବା ବଂଶାନୁକ୍ରମିକ କାରଣ ଯୋଗୁ ଜଣଙ୍କଠାରେ ଭିନ୍ନତା ଦେଖାଦେଇପାରେ କିନ୍ତୁ ଲୋକ ତାହ ନବୁଝି ଟ୍ରୋଲ କରିଥାନ୍ତି । ଏସବୁ ଜଣଙ୍କର ମନୋବଳକୁ ଭାଙ୍ଗିବାର ମୁଖ୍ୟ କାରଣ ପାଲଟିଛି । ଆମର ଏହି ଅଭିଯାନ ସଭିଙ୍କର ଆତ୍ମବିଶ୍ୱାସ ବଢ଼ାଇବା ସହ ସ୍ୱାଧୀନତା ପ୍ରଦାନ କରିବ ବୋଲି ମୁଁ ଆଶା କରୁଛି ।

ସୂଚନାଯୋଗ୍ୟ, ମହିଳା ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରସ୍ତୁତ କରି ସେମାନଙ୍କ ଅଗ୍ରଗତି ସହ ପରସ୍ପରକୁ ପରସ୍ପର ସହ ଯୋଡ଼ିବା ପାଇଁ ସାମାଜିକ ପ୍ଲାଟଫର୍ମ ‘ହର୍‌ ସର୍କଲ’ କାର୍ଯ୍ୟକାରୀ ହେଉଛି । ଏଥିରେ ମହିଳାମାନେ ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଆର୍ଥିକ, ଫ୍ୟାସନ, ମନୋରଞ୍ଜନ ଓ ନେତୃତ୍ୱ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ରିଲାୟନ୍ସର ସମ୍ମାନୀୟ ପେନାଲଙ୍କ ଦ୍ୱାରା ପାଇପାରିବେ। ଏହି ପ୍ଲାଟଫର୍ମ ମାଧ୍ୟମରେ ଜଣେ ବିନା କୌଣସି ଦ୍ୱନ୍ଦ୍ୱରେ ବିଶେଷଜ୍ଞଙ୍କୁ ସବୁ ପ୍ରଶ୍ନ ପଚାରିପାରିବ ।

‘ହର୍‌ ସର୍କଲ’ ଆପ ଗୁଗୁଲ ପ୍ଲେଷ୍ଟୋର ଏବଂ ଆଇଓଏସ ଆପରେ ମାଗଣାରେ ଡାଉନଲୋଡ କରାଯାଇ ପାରିବ । ଏହି ଆପ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ । ଗୋଟିଏ ଜାଗାରେ ମହିଳା ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଏହି ଆପକୁ ପ୍ରସ୍ତୁତ କରାଯାଇଛି ।